ଭୁବନେଶ୍ଵର: ଆସନ୍ତା ବୁଧବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଏହି ସମ୍ମିଳନୀରେ ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ଏହି ନିବେଶକ ସମ୍ମିଳନୀ ଆୟୋଜିତ ହେବ ।
ସୂଚନାଯୋଗ୍ୟ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା ହେବାପରେ ଏକ ରୋଡ୍ ଶୋ’ ଆୟୋଜିତ ହେବ । ତେବେ ଆସନ୍ତାବର୍ଷ ଜାନୁଆରି ୨୮ ଏବଂ ୨୯ ତାରିଖରେ ମେକ ଇନ୍ ଓଡିଶା କନକ୍ଲେଭ୍ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ଆଲୋଚନା କରିବା ନେଇ ସୂଚନା ପ୍ରକାଶ ପାଇଛି।
ପ୍ରକାଶଥାଉ କି, ସୋମବାରଠାରୁ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତରେ ଥିବା ବେଳେ ପ୍ରଥମେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଗସ୍ତ କରିଥିଲେ। ମଙ୍ଗଳବାର ସେ ଚାଇବାସାର କୋଲ୍ ହାନ୍ ଗସ୍ତ କରିଛନ୍ତି। ତେବେ ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ଏବଂ ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରୁଥିବାରୁ ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଶ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।