ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ୍ ଙ୍କ ମନ୍ତବ୍ୟ ଏବେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଦେବେନ୍ଦ୍ର ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ, “ଅଜିତ ପାୱାରଙ୍କ ସହ ମେଣ୍ଟକୁ ବିଜେପି ଭୋଟର ଆଦୌ ପସନ୍ଦ କରନ୍ତି ନାହିଁ। ବରଂ ଅଜିତ ପାୱାରଙ୍କ ଯୋଗୁ ଲୋକସଭା ନିର୍ବାଚନରେ ବିଜେପିକୁ ଆଶାନୁଯାୟୀ ଭୋଟ ମିଳି ନ ଥିଲା। ଲୋକସଭା ନିର୍ବାଚନରେ ବିଜେପି କମ୍ ଆସନ ପାଇବାର ଏହା ଅନ୍ୟତମ କାରଣ ଥିଲା।ବର୍ତ୍ତମାନ ଭୋଟରମାନେ ବୁଝିଛନ୍ତି ଯେ ସମୟ ଅନୁଯାୟୀ ରାଜନୈତିକ ଆପୋଷ ବୁଝାମଣା କରିବାକୁ ପଡିବ, ତେଣୁ ବିଧାନସଭା ନିର୍ବାଚନରେ ଭୋଟରଙ୍କ ମଧ୍ୟରେ କୌଣସି ଅସନ୍ତୋଷ ରହିବ ନାହିଁ ଏବଂ ଅଜିତ ପାୱାରଙ୍କ ଭୋଟରମାନେ ମଧ୍ୟ ବିଜେପିକୁ ଗ୍ରହଣ କରିବେ ବୋଲି ଆଶା ରହିଛି।”
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୈତିକସ୍ତରରେ ବିଜେପି ଭୋଟରମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଯେମିତି ଗ୍ରହଣ କରିଥିଲେ, ଅଜିତ ପାୱାରଙ୍କ ସହ ସମାନ ଘଟଣା ଦେଖିବାକୁ ମିଳୁନାହିଁ। କାରଣ ଦୀର୍ଘ ବର୍ଷ ଧରି ବିଜେପି ଅଜିତଙ୍କୁ ଦୁର୍ନୀତିର ପ୍ରତୀକ ବୋଲି କହି ସମାଲୋଚନା କରୁଥିଲା, କିନ୍ତୁ ପରେ ତାଙ୍କୁ ମହାମେଣ୍ଟରେ ସାମିଲ କରିଥିଲା। ତେବେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କ ମତ ବଦଳାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କରିଛନ୍ତି।
ଅପରପକ୍ଷରେ, ଅଜିତ ପାୱାରଙ୍କ ଦଳ ସହ ମେଣ୍ଟ କରିବା ବିଜେପି ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇ ନଥିବା ବେଳେ ବିଧାନସଭା ଭୋଟରମାନେ ମହାମେଣ୍ଟକୁ ବଜାୟ ରଖିବା ପାଇଁ ବିଧାନସଭା ନିର୍ବାଚନରେ ଅଜିତଙ୍କ ଦଳକୁ ଭୋଟ୍ ଦେବେ କି ନାହିଁ ସେନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଜିତଙ୍କ ଚାଚା ଶରଦ ପାୱାରଙ୍କ ପ୍ରତି ନିଜର ସମର୍ଥନ ଜାରି ରହିଥିବା ସୂଚନା ମିଳିଥିବା ବେଳେ ଶରଦ ପାୱାର କିନ୍ତୁ “ଆମେ ପରିବାରରେ ଏକଜୁଟ କିନ୍ତୁ ରାଜନୀତିରେ ନୁହେଁ” ବୋଲି କହି ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ସେହିପରି ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ଗସ୍ତ ସମୟରେ ଶରଦ ପାୱାରଙ୍କୁ କଡ଼ା ସମାଲୋଚନା କରିବା ସମୟରେ ଅଜିତ ପାୱାର ଅସହଜ ଅନୁଭବ କରିଥିବା ଦେଖିବାକୁ ମିଳିଥିଲା।