ୱାଶିଂଟନ୍: ଚଳିତ ଶତାବ୍ଦୀର ସର୍ବ ବୃହତ୍ ସାମୁଦ୍ରିକ ଝଡ଼ ‘ମିଲଟନ୍’ ଆମେରିକାର ଫ୍ଲୋରିଡା ମୁହାଁ ହୋଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଫ୍ଲୋରିଡାଠାରେ ଏହି ସାମୁଦ୍ରିକ ହୁରିକେନ ‘ମିଲଟନ୍’ ର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ଶ୍ରେଣୀ-୫ ବର୍ଗରେ ଶେଣୀଭୁକ୍ତ କରାଯାଇଥିଲା। ଲ୍ୟାଣ୍ଡଫଲ ପୂର୍ବରୁ ଏହାର ପ୍ରଭାବ ମେକ୍ସିକୋ ରେ ଦେଖିବାକୁ ମିଳିଥିଲା। ତେବେ ଏହା ଧୀରେ ଧୀରେ ଫ୍ଲୋରିଡା ଆଡ଼କୁ ଅଗ୍ରସର ହୋଇ ବୁଧବାର ରାତିରେ ଫ୍ଲୋରିଡାର ଜନବହୁଳ ଅଞ୍ଚଳ ସାରସୋତା କାଉଣ୍ଟି କୁ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ଶ୍ରେଣୀ-୩ ବର୍ଗରେ ପରିଣତ ହୋଇଥିବା ନେଇ ନ୍ୟାସନାଲ ହୁରିକେନ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ମିଲଟନ ପ୍ରଭାବରେ ସମୁଦ୍ରରେ ୨୮ ଫୁଟ ଉଚ୍ଚ ଜୁଆର ଆସିଥିବା ସୂଚନା ଦେଇଛି ଜାତୀୟ ପାଣିପାଗ ବିଭାଗ କେନ୍ଦ୍ର । ଏହାସହିତ ୨୦୧୭ରେ ହୋଇଥିବା ସର୍ବ ବୃହତ ସାମୁଦ୍ରିକ ଝଡ଼ ଠାରୁ ଅଧିକ ତୀବ୍ର ଥିବା ଯୋଗୁଁ ଏହା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବରେ ହୋଇଥିବା ପ୍ରଭାବିତ ଅଂଚଳରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ବ୍ୟକ୍ତ କରିବା ସହିତ ଏହାକୁ ଶତାବ୍ଦୀର ସର୍ବ ବୃହତ ସାମୁଦ୍ରିକ ଝଡ଼ ବୋଲି କହିଛନ୍ତି ।
ପ୍ରକାଶଥାଉ କି, ବୁଧବାର ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ଫ୍ଲୋରିଡାର ୬୭ରୁ ୫୧ ଜିଲାରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଥିଲା। ଏହାସହ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ବିସ୍ଥାପିତ କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।