ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟା ଭୟ । ୨୧ରେ କେନ୍ଦ୍ରୀୟ ବଙ୍ଗେପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଏପରିକି ଓଡ଼ିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡ଼େଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇ ନଥିଲେ ବି ଆସନ୍ତା ୨୧ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁଇପାରେ । ଏହା ଯଦି ବାତ୍ୟା ରୂପନିଏ ତାହାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନଥିବା ବେଳେ ଜିଏଫ୍ଏସ୍ ମଡେଲ କହୁଛି ସମୁଦ୍ରରେ ଥିବାବେଳେ ଏହା ବାତ୍ୟା ରୂପ ନେଇପାରେ । ମାତ୍ର ଉପକୂଳ ଓଡ଼ିଶା ଛୁଇଁଲାବେଳକୁ ଦୁର୍ବଳ ହୋଇଯିବ । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ବାବନା ଥିବା ଜିଏଫ୍ଏସ୍ ମଡେଲ ଆକଳନ କରିଛି । ସୂଚନାଯୋଗ୍ୟ, ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଉପକୂଳ ସାମ୍ନା କରିଥିଲା ମହାବାତ୍ୟାକୁ । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ସହିତ ବିପୁଳ କ୍ଷୟକ୍ଷତି ଘଟାଇଥିଲା ଏହି ମହାବାତ୍ୟା ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଘଣ୍ଟାପ୍ରତି ୧୨ କି.ମି. ବେଗରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୂର୍ବ, ଦକ୍ଷିଣ-ପୂର୍ବ ପୁଡ଼ୁଚେରୀ ଠାରୁ ୩୯୦ କିମି ଦୂରରେ ରହିଛି । ଆନ୍ଧ୍ରପ୍ରଦେଶଠାରୁ ୪୫୦ କିମିଦୂରରେ ରହିଛି । ଏହାସହ ଚେନ୍ନାଇ ଠାରୁ ପ୍ରାୟ ୩୬୦ କି.ମି. ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖରେ ଏହା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡ଼ୁଚେରୀ ଓ ନେଲୋର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ଲଗାଣ ବର୍ଷା ହେଉଛି ।