ପିପିଲି : ଡ଼େଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ ବୋଲି ପିପିଲି ନିକଟସ୍ଥ ଅଲାରପୁରର ହର ଦୁର୍ଗା କ୍ଲବ ପକ୍ଷରୁ ଆୟୋଜିତ କୁମାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି । ସେ ପୁଣି କହିଥିଲେ ପିପିଲି ଟୋଲ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଉତ୍ତରାୟଣୀ ଶୀତଳ ଭଣ୍ଡାରକୁ ବୃହତ ଶୀତଳ ଭଣ୍ଡାରରେ ପରିଣତ କରାଯିବ । ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତଙ୍କୁ ମିଳିମିଶି ପ୍ରଚେଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେ ପୁଣି କହିଛନ୍ତି, ପିପିଲିରେ ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ହୋଇଛି । ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ । ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡ଼ିଆର ଦୟଣାଚୋରି ମେଳଣ ଅନୁଷ୍ଠିତ ହୋଇଆସୁଅଛି । ତେଣୁ ଏପରି ଐତିହ୍ୟ ସଂପନ୍ନ ସ୍ଥଳର ଶିଳ୍ପୀ ଓ କାରୀଗରମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ କହିଥିଲେ, ପ୍ରଥମ ଥର ପାଇଁ ଜନସାଧାରଣ ଓଡ଼ିଶାର ଶାସନ ଦାୟିତ୍ୱ ବିଜେପିକୁ ଦେଇଛନ୍ତି । ପିପିଲି ଅଞ୍ଚଳକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ କେବଳ ହିଂସା ଓ ଅରାଜକତାରେ ଭରି ଦେଇଥିଲେ । ଆମ ସରକାର ଏଭଳି ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ନିନ୍ଦା କରେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିପିଲି କଥା ମନକୁ ଆସିଲେ ଏକ ସୁନ୍ଦର ପ୍ରତିଛବି ଆଖି ସାମ୍ନାକୁ ଆସିଯାଏ । ଆପଣଙ୍କ ହାତ ତିଆରି ଚାନ୍ଦୁଆ ଏତେ ସୁନ୍ଦର ଯେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେସବୁକୁ ଭଲ ପାଆନ୍ତି । ରଥଯାତ୍ରା ବେଳେ ତିନି ରଥକୁ ଆପଣମାନେ ହିଁ ସଜେଇ ଥାନ୍ତି । ଅଦ୍ଭୁତ ଆପଣଙ୍କ କଳା କୌଶଳ । ମୁଁ ଏଠାକାର ଶିଳ୍ପୀଙ୍କୁ ପ୍ରଣାମ କରୁଛି । ଓଡ଼ିଶାରେ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହି
ଥିଲେ ନିକଟରେ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଆମ ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷରେ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।