ୱାଶିଂଟନ: ଭାରତୀୟ ରାଜନୀତିରୁ ସ୍ନେହ, ସମ୍ମାନ ଓ ବିନମ୍ରତା ଭାବ ହ୍ରାସପାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସସ୍ଥିତ ଭାରତୀୟ-ଆମେରିକୀୟ ସମୁଦାୟଙ୍କୁ ଉଦବୋଧନ ଦେବା ଅବସରରେ ଏହା କହିବା ସହିତ ଭାରତ ଏକ ଚିନ୍ତାଧାରାସମ୍ପନ୍ନ ବୋଲି ବିଶ୍ୱାସ ରଖିଥିବା ଆରଏସଏସକୁ ସମାଲୋଚନା କରିଥିଲେ । ରବିବାର ଡଲାସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶ୍ରୀ ଗାନ୍ଧୀ କହିଥିଲେ ଯେ, ଆରଏସଏସର ବିଶ୍ୱାସ ଭାରତ ଗୋଟିଏ ଚିନ୍ତାଧାରା ବା ଗୋଟିଏ ଆଦର୍ଶ । କିନ୍ତୁ ଆମର ବିଶ୍ୱାସ ଭାରତ ବିବିଧ ଆଦର୍ଶ, ବିବିଧ ଚିନ୍ତାଧାରାର ସମାହାର ।
ଆମେରିକା ଭଳି ଆମେ ମଧ୍ୟ ବିଶ୍ୱାସ କରୁଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଂଶଗ୍ରହଣ କରିବା ନିମନ୍ତେ ଅନୁମତି ଓ ସୁଯୋଗ ପ୍ରଦାନ କରାଯିବା ଉଚିତ । ଆମର ବିଶ୍ୱାସ ଯେ ଜାତି, ଧର୍ମ, ଭାଷା, ଅଂଚଳ, ପରମ୍ପରା, ଇତିହାସ ନିର୍ବିଶେଷରେ ପ୍ରତ୍ୟେକଙ୍କୁ ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଆଯିବା, ପ୍ରତ୍ୟେକଙ୍କୁ ତାଙ୍କର ନିଜସ୍ୱ ସମୟ, ସ୍ଥାନ ଯୋଗାଇଦେବା ଉଚିତ । ଏହା ହେଉଛି ଲଢେଇର ମୂଳାଧାର । ନିର୍ବାଚନରେ ଲଢେଇ ଅଧିକ ଶାଣିତ ହୋଇଥିଲା ଯେତେବେଳେ ଭାରତରେ ନିୟୁତାଧିକ ଲୋକ ସ୍ପଷ୍ଟ ଭାବରେ ବୁଝିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଭାରତର ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି । କାରଣ ମୁଁ ଆପଣମାନଙ୍କୁ ଏକଥା କହିବାକୁ ଚାହେଁ ଯେ ରାଜ୍ୟସମୂହର ସଂଘୀୟ ବ୍ୟବସ୍ଥାରେ ଧରି ରଖିବା, ଭାଷା, ଅଂଚଳ, ପରମ୍ପରା, ଜାତି ଆଦିକୁ ସମ୍ମାନ ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ସମସ୍ତ ବିଷୟ ସମ୍ବିଧାନରେ ରହିଛି । ତାଙ୍କ ଉଦ୍ବୋଧନରେ ଶ୍ରୀ ଗାନ୍ଧୀ କହିଥିଲେ ଯେ, ଭାରତୀୟ ରାଜନୀତିରେ ସ୍ନେହ, ସମ୍ମାନ ଏବଂ ବିନମ୍ରତାର ମୂଲ୍ୟବୋଧକୁ ଅନ୍ତର୍ନିବିଷ୍ଟ କରିବା ହେଉଛି ତାଙ୍କର କାର୍ଯ୍ୟ । ସେ କହିଥିଲେ, ଯେଉଁମାନେ ଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ସମ୍ମାନ ପ୍ରଦର୍ଶନ କର, କେବଳ ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ନୁହେଁ । ଲୋକସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପରୋକ୍ଷ ଭାବରେ ପ୍ରକାଶ କରି ରାହୁଲ କହିଥିଲେ, ଲୋକମାନେ କହୁଛନ୍ତି ଯେ ବିଜେପି ସେମାନଙ୍କ ପରମ୍ପରା, ଭାଷା ଆଦି ଉପରେ ଆକ୍ରମଣ କରୁଛି । ସେମାନେ ଏଥିରୁ ଏହା ବୁଝୁଛନ୍ତି ଯେ ଭାରତର ସମ୍ବିଧାନ ଉପରେ ଯଦି କୋ÷ଣସି ବ୍ୟକ୍ତି ଆକ୍ରମଣ କରୁଥାନ୍ତି ତେବେ ସେ ମଧ୍ୟ ସେମାନଙ୍କ ଧର୍ମୀୟ ପରମ୍ପରା ଉପରେ ଆକ୍ରମଣ କରୁଛନ୍ତି । ଏହି ଅବସରରେ ସେ ଉଲ୍ଲେଖ କରିଥିଲେ, ଆମେରିକା ଯେଭଳି ଭାବରେ ଭାରତକୁ ଆବଶ୍ୟକ କରୁଛି, ଭାରତ ମଧ୍ୟ ସେହିଭଳି ଆମେରିକାକୁ ଆବଶ୍ୟକ କରୁଛି ଏବଂ ପ୍ରବାସୀ ଭାରତୀୟମାନେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କରେ ସେତୁ ଅଟନ୍ତି ।