ୟେମେନ : ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହେବାରେ ଲାଗିଥିବା ବେଳେ ଇସ୍ରାଏଲ ଉପରେ ୪ ପଟୁ ଆକ୍ରମଣ ଚାଲିଛି। ହମାସ, ହୁତୀ ବିଦ୍ରୋହୀ, ହେଜବୋଲ୍ଲା ଏବଂ ଇରାନ ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି। ତେବେ ଏହାରି ଭିତରେ ଗୁରୁବାର ସକାଳେ ୟେମେନରେ ଆଡ୍ଡା ଜମାଇଥିବା ହୁତି ଆତଙ୍କୀଙ୍କ ଅସ୍ତ୍ରାଗାରକୁ ଧ୍ବଂସ କରିଛି ଆମେରିକା। ଏହି ଅସ୍ତ୍ରାଗାରଟି ଭୂମିତଳେ କଂକ୍ରିଟ ବଙ୍କର ଭିତରେ ରହିଥିବା ବେଳେ ବୋମାମାଡ଼ କରି ଆମେରିକା ଏହାକୁ ଧ୍ବଂସ କରିଦେଇଛି। ତେବେ ଆମେରିକାର ଏହି ଆକ୍ରମଣ ସମସ୍ତଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟଯେ, ଗତ ବର୍ଷରୁ ଲୋହିତ ସାଗରରେ ଆତଙ୍କ ଖେଳାଇଥିବା ହୁତୀ ଆତଙ୍କୀମାନେ ଏହି ଅସ୍ତ୍ରାଗାର ସାହାଯ୍ୟରେ ବିଭିନ୍ନ ସମୟରେ ରେଡ୍ ସି(ଲୋହିତ ସାଗର) ତଥା ବାବ ଅଲ-ମାନଦେବ ଉପକୂଳ ଏବଂ ଅଦନ ଉପକୂଳରେ ଅନ୍ତର୍ଜାତୀୟ ଜାହାଜଗୁଡ଼ିକୁ ଟାର୍ଗେଟ କରିଥାନ୍ତି। ଏହା ସହିତ କ୍ଷେପଣାସ୍ତ୍ର, ରକେଟ ଏବଂ ଡ୍ରୋନ ଜରିଆରେ ଆକ୍ରମଣ ମଧ୍ୟ କରିଥାନ୍ତି। ତେବେ ହୁତି ବିଦ୍ରୋହୀଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଅସ୍ତ୍ରାଗାର ଧ୍ବଂସ କରିଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଅସ୍ତ୍ରାଗାରକୁ ଧ୍ବଂସ କରିବା ଫଳରେ ହୂତି ଆତଙ୍କୀମାନେ ଅନେକାଂଶରେ ଦୁର୍ବଳ ହୋଇପଡ଼ିବା ଆଶା କରାଯାଉଛି।
ଅନ୍ୟପକ୍ଷରେ ଅନେକ ବର୍ଷ ପରେ ଆମେରିକା ନ୍ୟୁକ୍ଲିୟର ଷ୍ଟିଲ୍ଥ ବମ୍ବର ବି-୨ ସ୍ପିରିଟର ବ୍ୟବହାର କରିଛି। ଏହା ଆମେରିକାର ସବୁଠୁ ମହଙ୍ଗା ଅସ୍ତ୍ରଶସ୍ତ୍ର ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ହୂତି ଆତଙ୍କୀ ମାନଙ୍କ ପାଦୁର୍ଭାବକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନେଇଛି ଆମେରିକା ।