ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପରାଜୟ ପରେ ଦେଶର ଆର୍ଥିକ ସ୍ଥିତି ସଂଗୀନ ହେବାରେ ଲାଗିଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ଋଣ ପାଇଁ ବିଶ୍ୱ ବ୍ୟାଙ୍କ, ଆଇଏମଏଫ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭଳି ଅର୍ଥନୈତିକ ସଂସ୍ଥାର ସାହାଯ୍ୟ ନେଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ବାଂଲାଦେଶର ଆର୍ଥିକ ପରିସ୍ଥିତି ସହ ଜନଜୀବନ ବ୍ୟାହତ ହେବା ସମ୍ଭାବନା ମଧ୍ୟ ଅଛି। ଏନେଇ ଆଦାନୀ ଗ୍ରୁପ ପକ୍ଷରୁ ଚେତାବନୀ ଦିଆଯାଇଛି। ବାଂଲାଦେଶ ବିଦ୍ୟୁତ ଯୋଗାଣର ବିଲ ସମାଧାନ ପାଇଁ ଆଦାନୀ ଗ୍ରୁପ ଚାପ ପକାଇବା ଆରମ୍ଭ କରିବା ସହିତ ପ୍ରାୟ ୫୦୦ ମିଲିୟନ ଡଲାର୍ ବିଚାରଧୀନ ଦେୟ ଦେବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ବାଂଲାଦେଶକୁ ୧୬୦୦ ମେଗାୱାଟ ବିଦ୍ୟୁତ ଗୋଡ୍ଡା ପ୍ଲାଣ୍ଟରୁ ବିଦ୍ୟୁତ ଯୋଗାଇଥାଏ। ଏନେଇ ଏକ ଚୁକ୍ତି ଶେଖ ହସିନା ସରକାର ସମୟରେ ହୋଇଥିଲା। କିନ୍ତୁ ମହମ୍ମଦ ୟୁନୁସ ବର୍ତ୍ତମାନ ଏହି ଚୁକ୍ତିକୁ ଏକ ମହଙ୍ଗା କାରବାର ବୋଲି କହିବା ଆରମ୍ଭ କରିବା ସହ ଏହି ଡିଲରେ ସ୍ବଚ୍ଛତା ବଜାୟ ନ ଥିବା କହିଛନ୍ତି। ତେବେ ନିକଟରେ ଫାଇନାନ୍ସିଆଲ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁନୁସ ସରକାର ପ୍ରାୟ ୫୦୦ ମିଲିୟନ ଡଲାରର ଏହି ଦେୟ ଦେବାକୁ ନାରାଜ ଥିବାରୁ ଏଥିରେ ରାଗିଯାଇ ଆଦାନୀ ଗ୍ରୁପ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଦାନୀ ଗ୍ରୁପର ତଥ୍ୟ ଅନୁଯାୟୀ, ସେମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ନିରନ୍ତର କଥାବାର୍ତ୍ତା କରିବା ସହିତ ପ୍ରତ୍ୟେକ ପରିସ୍ଥିତି ବିଷୟରେ ଦେଶକୁ ସୂଚନା ଦେଇଛୁ ବୋଲି କହିଛନ୍ତି। ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ପାଇଁ ଆମେ ପ୍ରତିବଦ୍ଧ। କିନ୍ତୁ ବିଚାରାଧୀନ ଦେୟ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁଯାୟୀ ବାଂଲାଦେଶର ବକେୟା ବିଦ୍ୟୁତ ବିଲ ୩.୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଏଥିରୁ ପ୍ରାୟ ୪୯୨ ନିୟୁତ ଡଲାର କେବଳ ଆଦାନୀ ଗ୍ରୁପର ଅଟେ। ତେଣୁ ପ୍ରାୟ ୫୦୦ ମିଲିୟନ ଡଲାର୍ ନ ଦେଲେ ବାଂଲାଦେଶକୁ ଭବିଷ୍ୟତରେ ଅନ୍ଧାରରେ ରହିବାକୁ ପଡିବ।