ଦିଲ୍ଲୀ : ଜଣେ ଅଭ୍ୟାସକାରୀ ଓକିଲ ସାମ୍ବାଦିକ ବୃତ୍ତିରେ କାର୍ଯ୍ୟ କରିପାରିବେ ନାହିଁ । କାରଣ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର (ବିସିିଆଇ) ଆଇନଜୀବୀମାନଙ୍କ ପାଇଁ ଏପରି ଦ୍ୱୈତ ଭୂମିକା ନିର୍ବାହ କରିବାର କୌଣସି ନିୟମ ନାହିଁ । ଓକିଲାତି ଏକ ସମ୍ମାନଜନକ ବୃତ୍ତି । ଜଣେ ଆଇନଜୀବୀ କଦାପି ନିଜକୁ ଜଣେ ମୁକ୍ତବୃତ୍ତି ସାମ୍ବାଦିକ ବୋଲି କହିପାରିବେ ନାହିଁ । ଏ ସଂକ୍ରାନ୍ତରେ ଆବେଦନକାରୀଙ୍କୁ ବିଚାରପତି ଜଷ୍ଟିସ୍ ଅଭୟ ଏସ୍ ଓକା ଭର୍ତ୍ସନା କରି କହିଛନ୍ତି, ମୁଁ ତୁମର ବୃତ୍ତିଗତ ଅସଦାଚରଣକୁ ଜାଣିପାରୁନାହିଁ । ତୁମେ ନିଜକୁ ଆଇନଜୀବୀ କହୁଛ ଏବଂ ସାମ୍ବାଦିକ ମଧ୍ୟ । ବାର କାଉନସିଲ ଅଫ୍ ଇଣ୍ଡିଆର ନିୟମକୁ ଦେଖ । ଏଭଳି ଦ୍ୱୈତ ବୃତ୍ତିକୁ ସମ୍ପୂଣ୍ଣ ନିଷେଧ କରାଯାଇଛି । ଏହାସହ ଉଚ୍ଚନ୍ୟାୟଳୟ ବାର କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ)କୁ ଏହା ଉପରେ ଜବାବ ଦାଖଲ କରିବାକୁ ନୋଟିସ୍ ଜାରି କରିଛନ୍ତି ।
ରାଜ୍ୟ ବାର୍ କାଉନସିଲରେ ଲେଖାଯାଇଥିବା ନିୟମ ଅନୁଯାୟୀ ଆଇନଜୀବୀମାନେ ନିଜ ବୃତ୍ତିରେ ରହି ଅନ୍ୟ ବୃତ୍ତିରେ ରହିବାକୁ ବାରଣ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ବାର୍ କାଉନସିଲ ଓ ବିସିଆଇକୁ ନୋଟିସ୍ ଜାରି କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ବାର୍ କାଉନସିଲ ପକ୍ଷରୁ ଉକ୍ତ ନୋଟିସର୍ କୌଣସି ଉତ୍ତର ଆସିନାହିଁ ।
ସୂଚନାଯୋଗ୍ୟ, ପୂର୍ବତନ ସାଂସଦ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆହ୍ଲାବାଦ କୋର୍ଟରେ ଅପରାଧିକ ମାନହାନି ମକଦ୍ଦମା ଦାୟର ହୋଇଥିଲା । ଗତ ଜୁଲାଇରେ ଏହି ମାମଲାର ଶୁଣାଣି ପ୍ରସଙ୍ଗରେ ଅଦାଲତଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା । ଯେଉଁଥିରେ ଆବେଦନକାରୀ ଜଣେ ଓକିଲ ଓ ନିଜକୁ ସାମ୍ବାଦିକ ବୋଲି କହିଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆବେଦନକାରୀଙ୍କ ଓକିଲ ବିନୋଦ କୁମାର ତିୱାରୀଙ୍କୁ ବିଚାରପତି ଓକା ତାଗିଦ୍ କରି କହିଛନ୍ତି, ସେ ଓକିଲ ହେବେ ନଚେତ୍ ସାମ୍ବାଦିକ । ଆମେ ଏଭଳି ଦ୍ୱୈତ ଭୂମିକାକୁ ଗ୍୍ରହଣ କରିବୁ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।