ଭୁବନେଶ୍ବର: ଚଳିତ ମାସରେ ବିଜେପିର ସଦସ୍ୟତା ଅଭିଯାନ ଶେଷ ହେବାକୁ ଯାଉଥିବା ବେଳେ ଆରମ୍ଭ ହୋଇଯାଇଛି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ। ଏହି ଅବସରରେ ସେ କହିଛନ୍ତି ଯେ, ‘ଆସନ୍ତା ୨୬ ତାରିଖରେ ବିଜେପିର ସାଙ୍ଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିତ ହୋଇ ଏହି ପ୍ରକ୍ରିୟା ଆଗାମୀ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଚାଲିବ । ନୂଆବର୍ଷରେ ରାଜ୍ୟ ବିଜେପି ନୂଆ ମଙ୍ଗୁଆଳ ପାଇବ ।’
ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀ, ତିନି ନିର୍ବାଚନ ସହ ଅଧିକାରୀ, ରାଜ୍ୟ ସଭାପତି, ସଂଗଠନ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଏହି ନିର୍ବାଚନରେ ବୁଥ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ସଭାପତି ଆଦି ପଦବୀରେ ନିର୍ବାଚିତ ହେବେ ବିଜେପିର ଦଳୀୟ କର୍ମୀ । ଏଥିପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ସମ୍ପୃକ୍ତ ଜିଲ୍ଲା ସଂଗଠନର କାର୍ଯ୍ୟକର୍ତ୍ତା, ସେହି ଅଂଚଳର ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବେ।
ପ୍ରକାଶଥାଉ କି, ନିକଟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । ସେହିପରି ସହ-ନିର୍ବାଚନ ଅଧିକାରୀ ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପ ସଭାପତି ସୁକେଶି ଓରାମ ଏବଂ ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା।