ହାଇଦରାବାଦ: ଜଣେ ଛାତ୍ରୀ ନିଜର ଅନଲାଇନ ସାଙ୍ଗକୁ ଭେଟିବାକୁ ୨୬୫ କିଲୋମିଟର ଯାତ୍ରା କରିବା ପରେ ଶେଷରେ ଉକ୍ତ ସାଙ୍ଗ ଦ୍ୱାରା ୨୦ ଦିନ ଏକ ହୋଟେଲ ପ୍ରକୋଷ୍ଠରେ ବନ୍ଦୀ ଅବସ୍ଥାରେ ରହିବା ଏବଂ ଖବର ପାଇ ପୁଲିସ ତାଙ୍କୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶନିବାର ଦିନ ଉକ୍ତ ୧୮ ବର୍ଷ ବୟସ୍କା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ତାଙ୍କୁ ଅଟକ ରଖିଥିବା ୧୯ ବର୍ଷ ବୟସ୍କ ପୁଅ ସାଙ୍ଗକୁ ପୁଲିସ ଗିରଫ କରି ବିଏନଏସର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜ୍ଜୁ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଛାତ୍ରୀଙ୍କ ଘର ଭାସିନା ସହରରେ । ଅନ୍ଲାଇନରେ ତାଙ୍କର ଜଣେ ପୁଅ ସାଙ୍ଗ ସହିତ ଘନିଷ୍ଠତା ସୃଷ୍ଟି ହୋଇଥିଲା । ଉକ୍ତ ପୁଅ ସାଙ୍ଗ ଛାତ୍ରୀଙ୍କୁ ହାଇଦରାବାଦ ଆସିବାକୁ କହିଥିଲା । ଛାତ୍ରୀ ମନା କରିବାରୁ ପୁଅ ସାଙ୍ଗ ତାଙ୍କୁ ବିଭିନ୍ନ ଧମକ ଚମକ ଦେବା ସହିତ ତାଙ୍କୁ ଏଥିପାଇଁ ବାଧ୍ୟ କରିଥିଲା । ଛାତ୍ରୀ ହାଇଦରାବାଦରେ ପହଂଚିବା ପରେ ପୁଅ ସାଙ୍ଗ ତାଙ୍କୁ ଏକ ହୋଟେଲ ପ୍ରକୋଷ୍ଠରେ ୨୦ ଦିନ ଅଟକ ରଖିଥିଲା । ଛାତ୍ରୀଜଣକ କୋ÷ଣସି ପ୍ରକାରେ ଏ ସମ୍ପର୍କରେ ନିଜ ପିତା ମାତାଙ୍କୁ ଜଣାଇବା ପରେ ସେମାନେ ଥାନାରେ ଏତଲା ଦେଇଥିଲେ । ଏହାପରେ ତେଲେଙ୍ଗାନା ପୁଲିସର ଏକ ଦଳ ଉକ୍ତ ହୋଟେଲ ଉପରେ ଚଢଉ କରି ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ତାଙ୍କୁ ଅଟକ ରଖିଥିବା ପୁଅ ସାଙ୍ଗକୁ ଧରି ଥାନାକୁ ଆଣିଥିଲା । ପରେ ତାଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଅଭିଯୁକ୍ତକୁ ହାଜତକୁ ପଠାଇଥିବା ଜଣାଯାଇଛି ।