ଟୋକିଓ: ରବିବାର ଜାପାନର ଭୋଟରମାନେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ସେମାନଙ୍କ ମେଣ୍ଟ ଉପରେ ସଙ୍କଟ ଦେଖାଦେଇଥିବା ବେଳେ ପାଣ୍ଠି ଦୁର୍ନୀତି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କୁ ନେଇ ଲୋକମାନେ ଇଶିବା ସରକାରଙ୍କ ବିରୋଧରେ କ୍ରୋଧିତ ଥିବା ସୂଚନା ମିଳିଛି। ଏପରି ବିରୁଦ୍ଧାଚରଣ ଶିଗେରୁ ଇଶିବାଙ୍କ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲଡିପି)ର ଏକ ଦଶନ୍ଧିର ଆଧିପତ୍ୟର ଅନ୍ତ ଘଟାଇପାରେ ବୋଲି ରାଜନୀତି ବିଶେଷଜ୍ଞ ମାନେ ମତପ୍ରକାଶ କରିଛନ୍ତି। ନିକଟରେ ହୋଇଥିବା ଜନମତ ସର୍ବେକ୍ଷଣ ଅନୁଯାୟୀ, ଏଲଡିପି ଏବଂ ଏହାର ଦୀର୍ଘକାଳୀନ ସହଯୋଗୀ କୋମେଇଟୋ ପରାଜୟର ସମ୍ମୁଖୀନ ହେବ ସହ ମେଣ୍ଟ ନିଜର ସଂସଦୀୟ ସଂଖ୍ୟାଗରିଷ୍ଠତା ହରାଇବା ସମ୍ଭାବନା ବହୁତ ରହିଛି। ଜାପାନରେ ଦିନକୁ ଦିନ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ପଡ଼ୋଶୀ ଚୀନ୍ ସହ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି।
ଅପରପକ୍ଷରେ ଯଦି ଜନମତ ସର୍ବେକ୍ଷଣ ଆକଳନ ସତ ହୁଏ, ତେବେ ଇଶିବା ସଂଖ୍ୟାଗରିଷ୍ଠତା ହରାଇଲେ ଏକ ମାସ ପୂର୍ବେ କ୍ଷମତାକୁ ଆସିଥିବା ଛୋଟ ଦଳମାନଙ୍କ ସହ କ୍ଷମତା ଭାଗିଦାରୀ ପାଇଁ ବୁଝାମଣା କରିବାକୁ ବାଧ୍ୟ ହେବେ। ଏହା କେତେକ ନୀତି କ୍ଷେତ୍ରରେ ଅନିଶ୍ଚିତତା ବଢ଼ାଇବା ସମ୍ଭାବନା ରହିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସର୍ଭେ ପକ୍ଷରୁ ଏଲଡିପି ସମ୍ପୂର୍ଣ୍ଣ ଭାବେ କ୍ଷମତାରୁ ହଟିଯିବ ବୋଲି ପୂର୍ବାନୁମାନ ହୋଇନାହିଁ। କିନ୍ତୁ ଏପରି ହେଲେ ଜାପାନ ବଜାରରେ ଅସ୍ଥିରତା ସୃଷ୍ଟି ହୋଇପାରେ ଯାହାଦ୍ୱାରା ବ୍ୟାଙ୍କ ଅଫ୍ ଜାପାନ ଅସୁବିଧାର ସମ୍ମୁଖୀନ ହେବ। ଏଭଳି ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରୁଥିବା ବେଳେ ଯଦି ଶିଗେରୁ ଇଶିବା ଜିରୋ ଇନ୍ଟରେଷ୍ଟ ବଜାୟ ରଖିବାକୁ ପସନ୍ଦ କରୁଥିବା ପାର୍ଟନର ଚୟନ କରିବେ, ତାହେଲେ ଜାପାନର ସମସ୍ୟା ଆହୁରି ବୃଦ୍ଧି ପାଇବ।