ୱାଶିଂଟନ୍: ଆସନ୍ତା ସପ୍ତାହରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନୀ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ଦୁଇ ପ୍ରାର୍ଥୀ ଉପରାଷ୍ଟ୍ରପତି କାମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପ ନିଜନିଜ ସପକ୍ଷରେ ସମର୍ଥନ ପାଇଁ ପ୍ରଚାରରେ ଜୋରଦାର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି।
ତେବେ ଏହି ପରିପ୍ରେକ୍ଷୀରେ କାମଲା ହାରିସଙ୍କ ସହ ପ୍ରଚାର ପାଇଁ ଶନିବାର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ମିଶେଲ ଓବାମା । ଉଭୟ ମିଶିଗାନ ଅଂଚଳରେ ଏକ ରାଲି କରିଥିବା ସୂଚନା ମିଳିଛି। ତେବେ ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଡେମୋକ୍ରାଟିକ୍ ପାର୍ଟିର ସମର୍ଥକମାନଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା।
ପ୍ରକାଶଥାଉ କି, କାମଲା ହାରିସଙ୍କୁ ବହୁଦିଗରୁ ସମର୍ଥନ ମିଳୁଥିବା ବେଳେ ଶୁକ୍ରବାର ହ୍ୟୁଷ୍ଟନ ଅଂଚଳରେ ଆମେରିକୀୟ ଗାୟକ ବିୟୋନ୍ସଙ୍କ ସହ ହାରିସଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଓସ୍କାର ବିଜେତା ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ରାଷ୍ଟ୍ରପତି ପଦ ପାଇଁ କମଳା ହାରିସଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ପରିବେଶ ପ୍ରତି ସକ୍ରିୟତା ପାଇଁ ଜଣାଶୁଣା ଡିକାପ୍ରିଓ ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାମ୍ପ୍ରତିକ ଝଡ଼କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେୟାର ହୋଇଥିବା ଭିଡିଓରେ ଡିକାପ୍ରିଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିବା ସହିତ କହିଛନ୍ତି ଯେ, ‘ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଧ୍ୱଂସ କରୁଛି। ଆମ ଅର୍ଥନୀତିକୁ ବଞ୍ଚାଇବା ପାଇଁ ଆମକୁ ସାହସିକ ପଦକ୍ଷେପ ନେବାକୁ ପଡ଼ିବ। ସେଥିପାଇଁ ମୁଁ କମଳା ହାରିସଙ୍କୁ ସମର୍ଥନ କରୁଛି।’ ଏପରିସ୍ଥଳେ ଆମେରିକାର ପୂର୍ବତ୍ତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ କାମଲା ହାରିସଙ୍କ ପ୍ରତି ସମର୍ଥନ ବହୁଗୁଣରେ ପ୍ରଭାବିତ କରିବ।