ଓମାନ: ଓମାନରେ ଅନୁଷ୍ଠିତ ହୋଇଯାଇଛି ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ୨୦୨୪ । ଏହି ମ୍ୟାଚରେ ଆଫଗାନିସ୍ତାନ ‘ଏ’ ଚାମ୍ପିୟନ ହୋଇ କ୍ରିକେଟରେ ନୂଆ ଇତିହାସ ରଚିଛି। ଇତିହାସରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି ଆଫଗାନିସ୍ତାନ।
ସୂଚନାଯୋଗ୍ୟ ଯେ, ଓମାନରେ ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ୍ ୨୦୨୪ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଫଗାନିସ୍ତାନ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ଖେଳାଯାଇଥିବା ବେଳେ ଆଫଗାନିସ୍ତାନ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୩ ରନ କରିଥିଲା ଶ୍ରୀଲଙ୍କା ‘ଏ’। ଏହାର ପ୍ରତ୍ୟୁତ୍ତରରେ ଆଫଗାନିସ୍ତାନ ‘ଏ’ କେବଳ ୧୮.୧ ଓଭରରେ ୩ଟି ୱିକେଟ ବିନିମୟରେ ଶ୍ରୀଲଙ୍କାକୁ ହରାଇ ଏହି ଲକ୍ଷ୍ୟ ହାସଲ କରି ଇତିହାସ ରଚିଛି। ତେବେ ଆଫଗାନିସ୍ତାନ ଦଳ ପ୍ରଥମ ଥର ପାଇଁ ଇମର୍ଜିଂ ଏସିଆ କପ୍ ଟାଇଟଲ୍ ଜିତିଥିବା ବେଳେ ଆଫଗାନିସ୍ତାନ କ୍ରିକେଟ୍ ଇତିହାସରେ ଏହା ଏକ ଐତିହାସିକ ବିଜୟ।
ପ୍ରକାଶଥାଉ କି, ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ହରାଇ ଆଫଗାନିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ଶ୍ରୀଲଙ୍କା ସହିତ ମ୍ୟାଚରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଏହି ମ୍ୟାଚରେ ଦଳ ମାତ୍ର ୧୫ ରନରେ ୪ଟି ୱିକେଟ ହରାଇବା ପରେ ସହନ ଆରାଚିଜେ ଦଳକୁ ସମ୍ଭାଳିବା ସହ ୬୪ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଆଫଗାନିସ୍ତାନ ପକ୍ଷରୁ ବିଲାଲ ସାମି ସର୍ବାଧିକ ୩ଟି ଓ ଆଲ୍ଲା ଘାଜନଫାର ୨ଟି ୱିକେଟ ହାସଲ କରିଥିଲେ । ଏହାର ପ୍ରତ୍ୟୁତ୍ତରରେ ଆଫଗାନିସ୍ତାନ ୧୮.୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଓପନର ସେଦିକ୍ୟୁଲ୍ଲା ୫୫ ରନ କରି ଅପରାଜିତ ରହିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ସହନ ଆରାଚିଜେ, ଦଶନ ହେମନ୍ଥା ଓ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୨୦୨୩ ମସିହାରେ ପାକିସ୍ତାନ ଟିମ୍ ଏହି ଟାଇଟଲ ଜିତିଥିବା ବେଳେ ଭାରତୀୟ-ଏ ଟିମ ରନର ଅପ ହୋଇଥିଲା । ଭାରତୀୟ ଟିମ୍ ୨୦୧୩ରେ ଟାଇଟଲ ଜିତିଥିବା ବେଳେ ୨୦୧୭ ଏବଂ ୨୦୧୮ ମସିହାରେ ଶ୍ରୀଲଙ୍କା ଦୁଇଥର ଏହି ଟାଇଟଲ ଜିତିଥିଲା ।