ଇସଲାମାବାଦ: ଗ୍ୟାରୀ କିର୍ଷ୍ଟେନ ନିଜ ପଦ ଛାଡିବା ପରେ ଜାସନ ଗିଲେସ୍ପିଙ୍କୁ ପାକିସ୍ତାନ ହ୍ୱାଇଟ ବଲ କୋଚ ଭାବରେ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ କିର୍ଷ୍ଟେନ ପାକିସ୍ତାନ ଦଳକୁ ଗୋଟିଏ ବି ଏକ ଦିବସୀୟ ମ୍ୟାଚରେ କୋଚିଂ ଦେବା ପୂର୍ବରୁ ଇସ୍ତଫା ପ୍ରଦାନ କରିବା ଘଟଣା ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ତେବେ ସେ ଓହରିଯିବା ପରେ ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ହ୍ୱାଇଟ ବଲ କୋଚ ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଗିଲେସ୍ପିଙ୍କୁ ନିଯୁକ୍ତ କରିଛି । ନିଜ ଦାୟିତ୍ୱ ଛାଡିବା ସମ୍ପର୍କରେ କିର୍ଷ୍ଟେନ କୌଣସି କାରଣ ଦର୍ଶାଇ ନଥିବାବେଳେ ବିଶ୍ୱାସ କରାଯାଉଛି ଯେ ବୋର୍ଡ ପକ୍ଷରୁ ନିକଟରେ ଜାରି କରାଯାଇଥିବା କଟକଣାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ପିସିବି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ଖେଳାଳି ମନୋନପୟ କ୍ଷେତ୍ରରେ କୋଚଙ୍କ କ୍ଷମତାକୁ ପ୍ରତ୍ୟାହାର କରିନିଆଯାଇଛି ।
ଗିଲେସ୍ପି ମଧ୍ୟ ଏହି ଘଟଣାରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଏହି ପ୍ରସଙ୍ଗରେ ସେ ସନୁଷ୍ଟ ନଥିଲେ ଏବଂ ସେ ନିଜକୁ ମ୍ୟାଚ ଦିବସର ବିଶ୍ଳେଷଣକାରୀ ଭାବରେ ଅଭିହିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ନିକଟରେ ପାକିସ୍ତାନ ଦଳ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ବିଜୟୀ ହୋଇଛି । କିନ୍ତୁ ପିସିବି ଯେଉଁଭଳି ନିଷ୍ପତ୍ତି ନେଉଛି ତାହା କିର୍ଷ୍ଟେନଙ୍କ ଇସ୍ତଫା ପରେ ସମସ୍ତଙ୍କ ଆଖି ଖୋଲିଦେବା ଭଳି ହୋଇଛି । ଗୋଟିଏ ବି ମ୍ୟାଚ ପାଇଁ ଦଳକୁ କୋଚିଂ ନଦେଇ ସେ ପଦ ଛାଡିବା ଏବେ କ୍ରିକେଟ ମହଲରେ ଆଲୋଚନାର ବିଷୟ ପାଲଟିଛି । ଏହା ମଧ୍ୟ ଜଣାଯାଇଛି ଯେ ମହମ୍ମଦ ରିଜୱାନଙ୍କୁ ଧଳା ବଲ ଅଧିନାୟକ ଭାବରେ ଘୋଷଣା କରାଯିବା ପରେ ପିସିବି ଚେୟାରମ୍ୟାନ ମୋହସିନ ନକଭୀ ଏବଂ ମନୋନୀୟ କମିଟି ସଦସ୍ୟଙ୍କ ଉପସ୍ଥିତିରେ କିର୍ଷ୍ଟେନଙ୍କର ପାଟିତୁଣ୍ଡ ହୋଇଥିଲା ଏବଂ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତାହା ପୂର୍ବରୁ ପାକିସ୍ତାନ ଏକ ନୂଆ ମନୋନୟନ ବୋର୍ଡ ସମ୍ପର୍କରେ ଘୋଷଣା କରିଥିଲା, ଯାହା ତିନିମାସ ମଧ୍ୟରେ ତୃତୀୟ ବୋର୍ଡ ଥିଲା । ସେଥିରେ ଖେଳାଳି ମନୋନୟନ ପ୍ରସଙ୍ଗରେ କୋଚ ଏବଂ ଦଳର ଅଧିନାୟକଙ୍କୁ ମଧ୍ୟ ସ୍ଥାନ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଖେଳାଳି ମନୋନୟନରେ କୋଚଙ୍କର କୋ÷ଣସି ଭୂମିକା ରହିବ ନାହିଁ ବୋଲି ପିସିବି ନିଷ୍ପତ୍ତି ନେଇଥିଲା ।