ମଙ୍ଗଳବାର ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଭେଟି ଦେଇଥିବା ସୂଚନା ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସିଂ ଜରିଆରେ ୧୨୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
ତେବେ ମୋଦିଙ୍କ ଏହି ଉପହାର ଭିତରେ ରହିଛି ଓଡ଼ିଶାର ୩ଟି ପ୍ରକଳ୍ପ। ସେଥିମଧ୍ୟରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାସ୍ଥିତ ବିଞ୍ଝାଗିରିରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ, ଶହେ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଅପରପକ୍ଷରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗ ସ୍ଥାପନ ହେବା ସହିତ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରକାଶଥାଉ କି, ନୂଆଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ଲାଭ ଉଠାଇପାରିବେ।