ନିୟୁଜର୍ସି: ପୃଥିବୀ ଓ ମଙ୍ଗଳ ପୃଷ୍ଠରେ ମହାକାଶରୁ ଧୂମକେତୁର ଖଣ୍ଡ ବିଖଣ୍ଡିତ ଅଂଶ ବିକ୍ଷିପ୍ତ ଭାବରେ ପଡିପାରେ । ଏଭଳି ଏକ ସମ୍ଭାବନାମୂଳକ ସୂଚନା ଦେଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ । ନାସା ପକ୍ଷରୁ କୁହାଯାଇଛି ଯେ ଭୂପୃଷ୍ଠ ଆଡକୁ ଅଗ୍ରସର ହେଉଥିବା ବିଶାଳ ଧୂମକେତୁକୁ ମହାକାଶରେ ଖଣ୍ଡ ବିଖଣ୍ଡିତ କରି ପୃଥିବୀ ପ୍ରତି ଏହାଜନିତ ଆପଦ ହ୍ରାସ କରିବାକୁ ବୈଜ୍ଞାନିକମାନେ ପ୍ରୟାସ କରୁଛନ୍ତି । ସେଥିପାଇଁ ମାନବ ରହିତ ମହାକାଶ ଯାନ ପ୍ରେରଣ କରାଯାଇ ପୃଥିବୀ ମୁହାଁ ଧୂମକେତୁ ଉପରେ ପ୍ରହାର କରାଯାଉଛି । ୨୦୨୨ ସେପ୍ଟେମ୍ବର ୨୬ ତାରିଖରେ ଡିମରଫୋସ୍ ସହିତ ଡାର୍ଟ ମହାକାଶଯାନ ସଫଳତାର ସହିତ ଧକ୍କା ଦେଇଥିଲା । ଉକ୍ତ ବିସ୍ଫୋରଣରେ ଧୂମକେତୁ ଖଣ୍ଡ ବିଖଣ୍ଡିତ ହୋଇଥିଲା । ଉକ୍ତ ଅଂଶଗୁଡିକ ପୃଥିବୀ ପୃଷ୍ଠ ସହିତ ମଙ୍ଗଳ ପୃଷ୍ଠରେ ଖସିପାରେ ବୋଲି ନାସା କହିଛି । ଏହାଦ୍ୱାରା ପ୍ରଥମ ଥର ପାଇଁ ମାନବ ଦ୍ୱାରା ଧୂମକେତୁ ଉପରେ କରାଯାଇଥିବା ବିସ୍ଫୋରଣ ପ୍ରଭାବ ଜନିତ ଅଂଶ ପତିତ ହେବାକୁ ଯାଉଛି ।
ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବୃହତର ଧୂମକେତୁ ଡିଡିମସ୍ ଚାରିପଟେ ଡିମରଫୋସ ଘୁରି ବୁଲୁଥିବାବେଳେ ଡାର୍ଟ ମହାକାଶଯାନ ଡିମରଫୋସକୁ ତାହାର କକ୍ଷ ପଥରୁ ବିଚୁ୍ୟତ କରିବା ପରେ ସେଥିରେ ଧକ୍କା ଦେଇଥିଲା । ଏହାଦ୍ୱାରା ଉକ୍ତ ଧୂମକେତୁ ବିଭାଜିତ ହେବା ସହିତ ତାହାର ଖଣ୍ଡ ବିଖଣ୍ଡିତ ଅଂଶ ମହାକାଶରେ ବିଚ୍ଛୁରିତ ହୋଇଥିଲା । ଏବେ ସେଗୁଡିକ କ୍ରମଶଃ ପୃଥିବୀ ଓ ମଙ୍ଗଳର ନିକଟତର ହେବାରେ ଲାଗିଛି । ସମ୍ଭବତଃ ସାତବର୍ଷ ସମୟ ମଧ୍ୟରେ ସେଗୁଡିକ ମଧ୍ୟରୁ କିଛି ଖଣ୍ଡ ବିଖଣ୍ଡିତ ଅଂଶ ପୃଥିବୀ ଓ ତେର ବର୍ଷ ପରେ ମଙ୍ଗଳ ପୃଷ୍ଠରେ ପଡିପାରେ । ଧୂମକେତୁର ଖଣ୍ଡ ବିଖଣ୍ଡିତ ଅଂଶ ମଧ୍ୟରୁ ସବଠାରୁ ବଡ ଅଂଶର ଆକାର ଏକ ସଫ୍ଟବଲ ଭଳି ହୋଇପାରେ । ତେଣୁ ସେଗୁଡିକ ପୃଥିବୀ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ଜଳିଯିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି । ଅନ୍ୟପକ୍ଷରେ କ୍ଷୁଦ୍ର ଅଂଶଗୁଡିକ ଅଧିକ ବେଗରେ ଗତିକରି ଭୂପୃଷ୍ଠରେ ପଡିପାରେ ।