ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା ତାଲିକା। ତେବେ ଏହି ତାଲିକା ଅନୁସାରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ବଡ଼ ଝଟକା ଲାଗିଥିବା ସୂଚନା ମିଳିଛି । ତେବେ କୋହଲି ପ୍ରଥମ ଥର ପାଇଁ ଟେଷ୍ଟ ମାନ୍ୟତାରେ ଟପ୍-୨୦ରୁ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଛି। ୨୦୧୪ ମସିହା ପରଠାରୁ ପ୍ରଥମ ଥର ପାଇଁ କୋହଲି ଆଇସିସି ଟେଷ୍ଟ ମାନ୍ୟତାର ଟପ୍-୨୦ରୁ ବାଦ ପଡିଛନ୍ତି। ବିରାଟଙ୍କ ସ୍ଥାନ ୨୨କୁ ଖସି ଆସିଥିବା ବେଳେ ରୋହିତ ମଧ୍ୟ ଦୁଇଟି ସ୍ଥାନ ତଳକୁ ଖସି ୨୬ରେ ରହିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ମାତ୍ର ୯୩ ରନ କରିଥିଲେ। ଏଥିରେ ତାଙ୍କର ସର୍ବାଧିକ ସ୍କୋର ୭୦ ରନ ଥିଲା। କୋହଲିଙ୍କ ପରି ରୋହିତ ଶର୍ମା ମଧ୍ୟ ବ୍ୟାଟିଂରେ ବିଫଳତାର ସ୍ୱାଦ ଚାଖିଥିଲେ ।
ଅପରପକ୍ଷରେ, ଏହି ତାଲିକାରେ ଟେଷ୍ଟରେ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ନିଜର ଶୀର୍ଷ ସ୍ଥାନ ପୂର୍ବପରି ବଳବତ୍ତର ରଖିଥିବା ବେଳେ ଦ୍ଵିତୀୟରେ କେନ ଓ୍ଵିଲିୟମସନ ଓ ତୃତୀୟରେ
ହ୍ୟାରି ବ୍ରୁକ ରହିଛନ୍ତି। ସେହିପରି ଭାରତର ଯୁବ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥରେ ରହିଥିବା ବେଳେ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ୫ଟି ସ୍ଥାନ ଉନ୍ନତି ପାଇ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂରେ ସ୍ପିନର ରବୀନ୍ଦ୍ର ଜାଡ଼େଜା ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ରବୀନ୍ଦ୍ର ମୁମ୍ବାଇ ଟେଷ୍ଟରେ ୧୦ ଓ୍ଵିକେଟ୍ ହାସଲ କରିଥିଲେ, ଯାହାର ପ୍ରଭାବ ଟେଷ୍ଟ ମାନ୍ୟତାରେ ଦେଖିବାକୁ ମିଳିଛି। ଅଶ୍ଵିନ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ବୋଲିଂ ମାନ୍ୟତାରେ ୭ଟି ସ୍ଥାନ ଉପରକୁ ଅତିକ୍ରମ କରି ୪୬ତମ ସ୍ଥାନରେ ରହିଛନ୍ତି।