ୱାଶିଂଟନ: ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଏଥିରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବାଜିମାତ କରିଛନ୍ତି। ହ୍ଵାଇଟ୍ ହାଉସ୍କୁ ଫେରିବା ପରେ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ବାଂଲାଦେଶକୁ ଖୋଲାଖୋଲି ସମର୍ଥନ କରି ଆସୁଥିବା ବାଇଡେନ୍ ପ୍ରଶାସନ ମଧ୍ୟ ୟୁନୁସଙ୍କ ଠାରୁ ମୁହଁ ଫେରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କେବେ ମୁହଁ ଖୋଲି ନଥିବା ଆମେରିକା ଏବେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଛି। ଏନେଇ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ମାଥ୍ୟୁ ମିଲର ସୂଚନା ଦେଇଛନ୍ତି ଯେ, “ଆମେରିକା ଚାହୁଁଛି ବାଂଲାଦେଶରେ ଧାର୍ମିକ ସ୍ୱାଧୀନତାକୁ ସମ୍ମାନ ଦିଆଯାଉ।”
ଏହି ପରିପ୍ରେକ୍ଷୀରେ ମିଲର କହିଛନ୍ତି ଯେ, “ବାଂଲାଦେଶର କର୍ତ୍ତୃପକ୍ଷଙ୍କ ସହ ଆଲୋଚନାରେ ଆମେ ସ୍ପଷ୍ଟ କରିଛୁ ଯେ ଆମେ ଧାର୍ମିକ ସ୍ୱାଧୀନତାକୁ ସମ୍ମାନ ଦେବାକୁ ଚାହୁଁଛୁ। ତେଣୁ ଯେ କୌଣସି ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ବାଂଲାଦେଶୀ ଆଇନ ଅନୁଯାୟୀ ଉତ୍ତରଦାୟୀ କରାଯାଉ। ତେବେ ଏହି ସ୍ଥିତି କେବଳ ବାଂଲାଦେଶ ପାଇଁ ନୁହେଁ ବରଂ ବିଶ୍ୱର ଯେକୌଣସି ଦେଶ ପାଇଁ ପ୍ରଯୁଜ୍ୟ।”
ପ୍ରକାଶଥାଉ କି, ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଦୀପାବଳି ଅବସରରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ମତାମତ ଦେଇଥିବା ଆମେରିକାର ପ୍ରଥମ ପ୍ରମୁଖ ନେତା ଟ୍ରମ୍ପ୍ ହୋଇଥିବା ବେଳେ ସେ ଏଥିପାଇଁ ବାଇଡେନ୍ ପ୍ରଶାସନକୁ ଦାୟୀ କରିଥିଲେ। ସେହି ସମୟରେ ଟ୍ରମ୍ପ୍ ବାଂଲାଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ବର୍ବର ହିଂସାକୁ ଦୃଢ଼ ନିନ୍ଦା କରିବା ସହିତ ସେଠାରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ଲାଗି ରହିଥିବା କହିଥିଲେ। ଏହାସହ ସେ ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ କାମଲା ହାରିସ୍ ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍ ସମଗ୍ର ବିଶ୍ୱ ଓ ଆମେରିକାରେ ହିନ୍ଦୁମାନଙ୍କୁ ଓ ସେମାନଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ଆହୁରି ମଧ୍ୟ ସେ କ୍ଷମତାକୁ ଆସିଲେ ଆମେରିକାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।