କଟକ : ବାଲିଯାତ୍ରାରେ ଅପମିଶ୍ରିତ ଖାଦ୍ୟ ଯାଞ୍ଚ କରାଯିବ । ଏଥିପାଇଁ କଟକ ମହାନଗର ନିଗମ (ସିଏମ୍ସି) ୮ଟି ଟିମ୍ ଗଠନ କରିବ । ସକାଳେ ଏବଂ ସନ୍ଧ୍ୟାରେ ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖାଦ୍ୟର ମାନ ଯାଞ୍ଚ କରିବ । ନମୁନା ପରୀକ୍ଷା ପାଇଁ ମୋବାଇଲ ଫୁଡ୍ ଟେଷ୍ଟିଂ ଲାବୋରୋଟାରୀ (ଏମଏଫଟିଏଲ) ବା ଭ୍ରାମ୍ୟମାଣ ନମୁନା ପରୀକ୍ଷା ଗାଡ଼ି ବୁଲିବ । ଅଧିକାରୀମାନେ ଅପମିଶ୍ରିତ ସନେ୍ଦହ ଖାଦ୍ୟକୁ ଅତ୍ୟାଧୁନିକ ଯନ୍ତ୍ରାଂଶ ଜରିଆରେ ପରୀକ୍ଷା କରି ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଯେଉଁମାନେ ଏଭଳି ଅପମିଶ୍ରିତ ଖାଦ୍ୟ ବିକ୍ରି କରିବେ ତାଙ୍କ ଉପରେ ଜୋରିମାନା ଓ ଆବଶ୍ୟକ ପଡ଼ିଲେ ଦୋକାନ ବନ୍ଦ କରିଦିଆଯିବ ବୋଲି ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର କହିଛନ୍ତି । ଏହାଛଡ଼ା ବାଲିଯାତ୍ରାରେ ଖାଦ୍ୟ ଅପମିଶ୍ରଣ କିମ୍ବା ବାସୀ ବୋଲି ଗ୍ରାହକ ଅନୁଭବ କଲେ ତତ୍କାଳ ଅଭିଯୋଗ କରିବା ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କରାଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନମ୍ବର ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଜଣାପଡ଼ିଛି । ଧୂଆଁ ବିସ୍କୁଟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥିବାରୁ ଏଥର ପଡ଼ିଆରେ ଏହି ବିସ୍କୁଟ ଉପରେ କଟକଣା ଜାରି କରାଯିବ ।
ସିଏମସି ସ୍ୱାସ୍ଥ୍ୟ ବିଭାଗରେ ବର୍ତ୍ତମାନ ୩ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ କାର୍ଯ୍ୟ କରୁଛନ୍ତି । ବାଲିଯାତ୍ରା ପାଇଁ ଆହୁରି ଅଧିକ ୫ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଡେପୁଟେସନ୍ରେ ପଠାଇବାକୁ ଖାଦ୍ୟ ସୁରକ୍ଷା କମିସନରଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସେହିଭଳି ଦୁଇଟି ଭ୍ରାମ୍ୟମାଣ ନମୁନା ପରୀକ୍ଷା ଗାଡ଼ି ଯୋଗାଇ ଦେବାକୁ ଫୁଡ୍ ଆନାଲିଷ୍ଟ ଯୁଗ୍ମ ନିର୍ଦେଶକଙ୍କୁ ବିଭାଗ ଚିଠି କରିଛି । ୮ଟି ଟିମ୍ ମଧ୍ୟରୁ ଉଭୟ ଉପର ଏବଂ ତଳ ପଡ଼ିଆରେ ୬ଟି ଟିମ୍ ଖାଦ୍ୟର ମାନ ଯାଞ୍ଚ କରିବ । ପଡ଼ିଆରେ ଥିବା ସ୍ୱାସ୍ଥ୍ୟ ବିଭାଗ ଷ୍ଟଲରେ ଅନ୍ୟ ଦୁଇଟି ଟିମ୍ ପ୍ରସ୍ତୁତ ରହିବ । କୌଣସି ଅଭିଯୋଗ ଆସିଲେ ଏହି ଟିମ୍ ସେଠାରେ ପହଞ୍ଚି ଖାଦ୍ୟ ଯାଞ୍ଚ କରିବ । ସକାଳେ ଓ ସନ୍ଧ୍ୟାରେ ଚଢ଼ଉ କରାଯିବାକୁ ସ୍ଥିର କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ପରିମଳ ନିରୀକ୍ଷକ (ଏସଆଇ), ମେଟ୍, ଜମାଦାର, ସୁପରଭାଇଜର ପ୍ରମୁଖ ସହାୟତା କରିବେ । ଓରମାସ୍ ପରିସରସ୍ଥ ଖାଦ୍ୟ ଷ୍ଟଲ ଓ ପଡ଼ିଆରେ ଠୁଙ୍କାପୁରି ଷ୍ଟଲ ପ୍ରଭୃତି ଉପରେ ତୀକ୍ଷ୍ଣ ନଜର ରଖାଯିବ । ସୂଚନାଯୋଗ୍ୟ ଖାଦ୍ୟ ଖୋଲାମେଲାରେ ରଖାଯିବାରୁ ଯାତ୍ରା ପଡ଼ିଆରୁ ଧୂଳି ଉଡ଼ି ଖାଦ୍ୟରେ ପଡ଼ୁଥିବା ପ୍ରତିବର୍ଷ ନଜର ଆସୁଛି । କେତେକ ଦୋକାନୀ ନଦୀପାଣି ବ୍ୟବହାର କରିବାର ମଧ୍ୟ ନଜିର ରହିଛି । ଏଥିପାଇଁ ନଗର ନିଗମ ପକ୍ଷରୁ ଖାଦ୍ୟ ଷ୍ଟଲ ମାଲିକଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି ସହିତ ଉଲ୍ଲଙ୍ଘନକାରୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।