ଭୁବନେଶ୍ୱର: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବିକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବୁସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରାମର୍ଶ ଦେଇଥିଲେ । ସେ କହିଥିଲେ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ପ୍ରତିନିଧି ଦଳର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ଶ୍ରୀ ମୁନ୍ନା ଖାଁ, ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଶ୍ରୀ ଝିନ ହିକକା, ଶ୍ରୀ ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ଶ୍ରୀ ପ୍ରିୟବ୍ରତ ମାଝୀ ପ୍ରମୁଖ ଆସି ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।