ନୂଆଦିଲ୍ଲୀ: ରବିବାର ମରିସସ୍ ରେ ଅନୁଷ୍ଠିତ ହୋଇଥିଲା ମତଦାନ। ତେବେ ଏଥିରେ ବାଜିମାତ କରିଛନ୍ତି ନବୀନ ରାମଗୁଲାମ । ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମରିସସବାସୀ ସଂସଦକୁ ୬୨ ଜଣ ସାଂସଦଙ୍କୁ ନିର୍ବାଚିତ କରିଥିବା ବେଳେ ନବୀନ ରାମଗୁଲାମ ତୃତୀୟ ଥର ପାଇଁ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନବୀନ ରାମଗୁଲାମଙ୍କ ବିଜୟକୁ ନେଇ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ବନ୍ଧୁ ଡକ୍ଟର ରାମଗୁଲାମଙ୍କ ସହ ସକରାତ୍ମକ ବାର୍ତ୍ତାଳାପ ହୋଇଛି। ନିର୍ବାଚନରେ ଐତିହାସିକ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ମରିସସ୍ର ନେତୃତ୍ୱ ନେବାରେ ତାଙ୍କର ମହାନ ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ଏବଂ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛି। ଆମର ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବାକୁ ମୁଁ ଉତ୍ସାହିତ।”
ଅପରପକ୍ଷରେ ରବିବାର ଅନୁଷ୍ଠିତ ହୋଇଥିବା ମତଦାନରେ ପ୍ରଧାନମନ୍ତ୍ରୀ ପରବିନ୍ଦ ଜଗନ୍ନାଥ ପରାଜୟ ସ୍ୱୀକାର କରିବା ସହ ତାଙ୍କ ମେଣ୍ଟ ପରାଜୟ ଆଡ଼କୁ ଗତି କରୁଥିବା କହିଛନ୍ତି। ୨୦୧୭ ମସିହାରୁ ପ୍ରଧାନମନ୍ତ୍ରୀ ଥିବା ଜଗନ୍ନାଥ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି ଯେ, “ମେଣ୍ଟ ବଡ଼ ପରାଜୟର ଆଡ଼କୁ ଗତି କରୁଛି। ମୁଁ ମୋ ଦେଶ ପାଇଁ ଯାହା କରିପାରିଲି, ତାହା କରିଛି। ଲୋକମାନେ ଆଉ ଏକ ଦଳ ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ପାଇଁ ମୁଁ ଦେଶକୁ ଶୁଭେଚ୍ଛା ଜଣାଉଛି ।”
ନିକଟରେ ବିବାଦୀୟ ଚାଗୋସ୍ ଦ୍ୱୀପପୁଞ୍ଜକୁ ପୁନରୁଦ୍ଧାର କରିବା ପାଇଁ ବ୍ରିଟେନ ସହ ହୋଇଥିବା ଐତିହାସିକ ଚୁକ୍ତିକୁ ପାଳନ କରୁଥିଲା ମରିସସ୍। କିନ୍ତୁ ଏକ ଫୋନ କଲ ଦେଶର ରାଜନୀତିକୁ ବଦଳାଇ ଦେଇଥିଲା। ରାଜନେତା, କୂଟନୀତିଜ୍ଞ ଓ ସାମ୍ବାଦିକଙ୍କ ଗୁପ୍ତରେ ରେକର୍ଡ ହୋଇଥିବା ଫୋନ୍ କଲ୍ ଅନଲାଇନରେ ଲିକ୍ ହେବାପରେ ଏହା ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା।