ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବ୍ରାଜିଲରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଅଂଶଗ୍ରହଣ କରିବେ। ଏଥିରେ ପାରମ୍ପରିକ ଶକ୍ତି ଉତ୍ସ ପରିବର୍ତ୍ତେ ପରିବେଶ ଅନୁକୂଳ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିବା ପାଇଁ ଗରିବ ଦେଶମାନଙ୍କ ଉପରେ ଥିବା ଋଣ ବୋଝକୁ ହ୍ରାସ କରିବା ଏବଂ ପାଣ୍ଠି ସଂଗ୍ରହ କରିବା ଭଳି ପ୍ରସଙ୍ଗରେ ଅଚଳାବସ୍ଥା ଦୂର କରିବା ଦିଗରେ ଭାରତ ନିଜର ଶକ୍ତି ପ୍ରୟୋଗ କରିବ।
ସେଥିପାଇଁ ଆସନ୍ତା ୧୬ରୁ ପ୍ରଧାନମନ୍ତ୍ରୀ ମୋଦୀ ତିନି ଦେଶ ଗସ୍ତରେ ଯାଉଛନ୍ତି। ପ୍ରଥମେ ସେ ନଭେମ୍ବର ୧୬ରୁ ୧୭ ପର୍ଯ୍ୟନ୍ତ ନାଇଜେରିଆ ଗସ୍ତ କରିବେ। ଏହାପରେ ସେ ୧୮ରୁ ୧୯ ଯାଏଁ ବ୍ରାଜିଲ ଓ ପରେ ଗୁଏନା ଗସ୍ତ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏ ସମ୍ପର୍କରେ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ୧୭ ବର୍ଷ ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନାଇଜେରିଆ ଗସ୍ତ ହେବ। ଏହା ପୂର୍ବରୁ ୧୯୬୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନାଇଜେରିଆ ଗସ୍ତରେ ଯାଇଥିଲେ।
ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ (ପୂର୍ବ) ଜୟଦୀପ ମଜୁମଦାର କହିଛନ୍ତି ଯେ, ଗୁଏନା ସହ ଭାରତ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବାର ଅନେକ ସମ୍ଭାବନା ରହିଛି। ଗୁଏନାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ କାରିକମ୍ ସଂଗଠନ (କ୍ୟାରିବିଆନ୍ କମ୍ୟୁନିଟି ଆଣ୍ଡ କମନ୍ ମାର୍କେଟ)ର ଏକ ବୈଠକରେ ଯୋଗ ଦେବେ। କାରିକମ୍ ସହ ଏହା ଭାରତର ଦ୍ବିତୀୟ ବୈଠକ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।