କାଇରୋ: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଏହାମଧ୍ୟରେ ଶନିବାର ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ କରାଯାଇଛି। ନେତନ୍ୟାହୁଙ୍କ ଆବାସରେ ଥିବା ବଗିଚାରେ ଏହି ବୋମା ପଡିଥିଲା। ତେବେ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କିମ୍ବା ତାଙ୍କ ପରିବାର ଉପସ୍ଥିତ ନଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ।
ସୂଚନାଯୋଗ୍ୟ ଯେ, ଶନିବାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ଉପରେ ବୋମାମାଡ଼ ହୋଇଛି। ଏହାକୁ ତୀବ୍ର ନିନ୍ଦା କରି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଏକ୍ସରେ ଏକ ପୋଷ୍ଟକରି କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବିରୋଧରେ ଉତ୍ତେଜନା ସବୁ ସୀମା ଉଲଘଂନ କରିଛି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଇଟାମାର ବେନ୍ ଗାଭିର ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ଫ୍ଲାସ୍ ବୋମା ଫିଙ୍ଗିବା ଆଉ ଏକ ରେଡ୍ ଲାଇନ୍ ଅତିକ୍ରମ ଦର୍ଶାଉଛି।
ପ୍ରକାଶଥାଉ କି, ଗତ ଅକ୍ଟୋବର ମାସରେ ସିଜେରିଆରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଡ୍ରୋନ୍ ଉତକ୍ଷେପଣ କରାଯାଇଥିଲା, ଯେଉଁଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା।
ଅପରପକ୍ଷରେ ଶନିବାର ଦିନ ଗାଜା ସହରର ଶାଟି ଶରଣାର୍ଥୀ ଶିବିରରେ ଥିବା ଏକ ସ୍କୁଲ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଏଥିରେ ୧୦ ଜଣ ପାଲେଷ୍ଟାଇନ ନାଗରିକଙ୍କ ପ୍ରାଣହାନି ସହିତ ୨୦ ଜଣ ଆହତ ହୋଇଛନ୍ତି। ଉକ୍ତ ଶରଣାର୍ଥୀ ଶିବିରରେ ଆହତ ଲୋକମାନେ ଚିକିତ୍ସିତ ହେଉଛନ୍ତି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।