ଭୁବନେଶ୍ୱର: ଆସନ୍ତା ୩ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓ ଡିଜିପି ସମୀକ୍ଷା ବୈଠକ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଆସନ୍ତା ୩ ତାରିଖ ଅପରାହ୍ଣ ୨ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପହଞ୍ଚିବେ। ସେଠାରେ ପହଂଚିବା ପରେ ପ୍ରୋଟକୋଲ ଅନୁସାରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ସ୍ୱାଗତ କରିବେ। ଏହାପରେ ସେ ବିମାନବନ୍ଦରରୁ ସିଧାସଳଖ ନିଳାଦ୍ରୀବିହାର ଯାଇ ସେଠାରେ ପଣ୍ଡତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।
ପରେ ସନ୍ଧ୍ୟା ୬.୨୫ରେ ରାଜଭବନରେ ପହଞ୍ଚି ବିଶ୍ରାମ ସମେତ ରାତ୍ରଭୋଜନ ଓ ରହଣୀ କରିବେ। ଏହାପରେ ୪ ତାରିଖ ଦିନ ସକାଳ ୯ଟା ବେଳେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି । ସେଠାରେ ଦିନ ୧୦ଟାରେ ମହାପ୍ରଭୁଙ୍କ ଦର୍ଶନ କରି ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ସେହିପରି ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ୧୨ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚିବେ। ଅପରାହ୍ଣ ୩.୪୦ରେ ପୁରୀ ରାଜଭବନରେ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ଏହାପରେ ଦିନ ୩ଟା ୪୫ ମିନିଟରେ ସେ ବ୍ଲ୍ୟୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦିବସରେ ଯୋଗଦେବାପରେ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ।
୫ ତାରିଖ ଦିନ ୧୦.୦୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରି ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ପରିସରରେ ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ କରିବାପରେ ସନ୍ଧ୍ୟା ୭ଟାରୁ ୭.୩୦ ମଧ୍ୟରେ ବିଭିନ୍ନ ଲୋକଙ୍କୁ ସାକ୍ଷାତ କରିବେ।
୬ ତାରିଖରେ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ। ଏହାର ପରଦିନ ଅର୍ଥାତ ୭ ତାରିଖରେ ବାଙ୍ଗିରିପୋଷି, ବୁଢାମରା-ଚକୁଳିଆ-ବାଦାମପାହାଡ଼ ରେଳ ଲାଇନର ଶିଳାନ୍ୟାସ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦିନ ୧.୧୫ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ।