ଭୁବନେଶ୍ୱର: ପ୍ରଥମଥର ପାଇଁ ବିଦେଶରେ ହେଲା ରୋଡ ସୋ । ଆସନ୍ତା ବର୍ଷ ଜାନୁଆରୀ ୨୮ ଓ ୨୯ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ ଆୟୋଜନ ପାଇଁ ଏହା ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀରେ ରୋଡ଼ ସୋ ସରିଥିବା ବେଳେ, ପ୍ରଥମ ଥର ବିଦେଶରେ ରୋଡ୍ ସୋ ହୋଇଛି । ଗତ ଶନିବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରେ ଥିବା ବେଳେ ମଙ୍ଗଳବାର ରୋଡ ସୋ କରି ୩୦୦ରୁ ଊର୍ଦ୍ଧ୍ବ ଶିଳ୍ପପତି, ଅତିଥି, ନିବେଶକଙ୍କୁ ଭେଟିଥିଲେ। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା ଏବଂ ମେକ ଇନ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜିତ ହେବ। ସେଥିପାଇଁ ସିଙ୍ଗାପୁର ଗସ୍ତ କରି ମଙ୍ଗଳବାର ସକାଳେ ସେଠାରେ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଶ୍ବର ବହୁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବା ସହିତ ଓଡିଶାରେ ଭରପୁର ପ୍ରାକୃତିକ ସମ୍ପଦ, ବିଶ୍ବସ୍ତରୀୟ ଭିତ୍ତିଭୂମି, କୁଶଳୀ ଶ୍ରମିକ ଥିବା ସିଙ୍ଗାପୁର ସମେତ ପଡୋଶୀ ଦେଶର ପୁଞ୍ଜିପତି, ନିବେଶକ ଓ ବ୍ୟବସାୟୀଙ୍କୁ ସୂଚନା ଦେଇଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରି ସିଙ୍ଗାପୁରରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସମୁଦ୍ରପଥରେ ମାଲପରିବହନ ନେଇ ଉଭୟ ନେତୃମଣ୍ଡଳୀ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରତିନିଧି ଦଳ ସିଙ୍ଗାପୁରର ବୈଷୟିକ ଶିକ୍ଷା ଓ ଶିକ୍ଷା ସେବା ଇନଷ୍ଟିଚ୍ୟୁଟ (ଆଇଟିଇଇଏସ) ପରିଦର୍ଶନ କରିଥିଲେ। ଓଡ଼ିଶାରେ ଆଇଟିଇଇଏସର ସହଯୋଗରେ ଭୁବନେଶ୍ବରେ ବିଶ୍ବ ଦକ୍ଷତା କେନ୍ଦ୍ରରେ ତାଲିମ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସିଙ୍ଗାପୁରର ପରିବହନ ମନ୍ତ୍ରୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ।
ଏଣ୍ଟରପ୍ରାଇଜ ସିଙ୍ଗାପୁର ଏବଂ ଏଫଆଇସିସିଆଇ ସହଯୋଗରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଆଗ୍ରୋକର୍ପ ଇଣ୍ଟରନ୍ୟାସନାଲ, ଅରିଓନୋପ୍ରୋ ପେମେଣ୍ଟ ସଲ୍ୟୁସନ, ଇଷ୍ଟକମ, ଏଲିକ୍ସିର ଟେକ୍ନୋଲୋଜି, ଏନଭାଇରନସେନ୍ସ, ଏଭରଭୋଲ୍ଟ ଗ୍ରୀନ ଏନର୍ଜି, ଗ୍ରେମେଟିକ୍ସ, ଆଇଟିଇ ଏଜୁକେସନ ସର୍ଭିସେସ, ୱାନବେରୀ ଟେକ୍ନୋଲୋଜିସ, ସୁରବନା ଜୁରୋଙ୍ଗ ଭଳି ଭିତ୍ତିଭୂମିର ବିକାଶ, ଉତ୍ପାଦ ଓ ଆଇଟି ସେକ୍ଟରରେ ନିବେଶକଙ୍କ ସହିତ ଆଲୋଚନା କରିଥିଲେ। ଲିଣ୍ଡେ, ବୀନା ଏନର୍ଜି, କ୍ୟାପିଟାଲ ଲ୍ୟାଣ୍ଡ, ଏଭରଷ୍ଟୋନ ଗ୍ରୁପ, ଭୋପାକ, ଇଣ୍ଡୋରମା, ମାଇକର୍ଣ୍ଣ ଏବଂ ମାସ ହୋଲଡିଂ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତଭାବେ ଆଲୋଚନା କରିଥିବା ସୂଚନା ମିଳିଛି। ଏହି ବୈଠକରେ ପେଟ୍ରୋକେମିକାଲ୍ସ, ମେଟାଲ୍ସ, ମେଟାଲ ଡାଉନଷ୍ଟ୍ରିମ, ଆଇଟି, ଟେକ୍ସଟାଇଲ୍ସ, ଆପାରେଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ। ଏହାସହିତ ଓଡ଼ିଶାରେ ଥିବା ବନ୍ଦରଗୁଡିକର କିପରି କ୍ଷମତା ବୃଦ୍ଧି, ବନ୍ଦର କେନ୍ଦ୍ରିକ ଅର୍ଥନୀତିର ବିକାଶ ନକ୍ସା ସହିତ ଦେଶରେ ବନ୍ଦର ଦେଇ ମାଲପରିବହନ କ୍ଷେତ୍ରରେ ଓଡ଼ିଶା ଏକ ହବରେ ପରିଣତ ହୋଇପାରିବ ସେଥିନେଇ ପ୍ରତିନିଧି ଦଳ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ଓ ଶିଳ୍ପନେତୃତ୍ବଙ୍କ ସହ ଆଲୋଚନା କରିଥିଲେ।