ପର୍ଥ: ଆସନ୍ତା ୨୨ରୁ ପର୍ଥରେ ଆରମ୍ଭ ହେବାକୁ ଯାଉଛି ବର୍ଡ଼ର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ। ଏଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏଥିରେ ଶୁବମନ ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ଯୋଗୁଁ ସେ ଖେଳି ନ ପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ଏବେ ଗିଲ ମ୍ୟାଚ ଖେଳିବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟଥିବା ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମର୍ନେ ମୋର୍କଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାକ୍ଟିସ୍ ମ୍ୟାଚ୍ ସମୟରେ ଗିଲ୍ ଆହତ ହେବାଯୋଗୁଁ ତାଙ୍କୁ ଫିଲ୍ଡ ଛାଡିବାକୁ ପଡିଥିଲା। ଏହାପରେ ଗିଲ ପର୍ଥ ଟେଷ୍ଟ ଖେଳି ପାରିବେ ନାହିଁ ବୋଲି ମେଡିକାଲ ରିପୋର୍ଟ ଆସିଥିଲା । କିନ୍ତୁ ବର୍ତ୍ତମାନ ବୋଲିଂ କୋଚ୍ ମର୍ନେ ମୋର୍କଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଛନ୍ତି। ଆମେ ଟେଷ୍ଟ ଦିନ ସକାଳେ ସେ ଖେଳିବେ କି ନାହିଁ ନିଷ୍ପତ୍ତି ନେବୁ। ମ୍ୟାଚ୍ ପ୍ରସ୍ତୁତି ସମୟରେ ସେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ସେ ସଫଳ ହେବେ ବୋଲି ଆଶା କରୁଛି। ”
ପ୍ରକାଶଥାଉ କି, ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଶୁବମନ ଗିଲ ଟିମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଅଷ୍ଟ୍ରେଲିଆରେ ଖେଳିବାର ମଧ୍ୟ ଭଲ ଅଭିଜ୍ଞତା ଗିଲଙ୍କର ଅଛି। ୨୦୨୦-୨୧ ମସିହାରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଗିଲ୍ ଟିମ୍ ଇଣ୍ଡିଆର ଏକ ଅଂଶ ଥିବା ବେଳେ ସେହି ସମୟରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ଥିଲା। ସେହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା।