ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରାର୍ଥୀ ଅନ୍ୟ ବିରୋଧୀ ଦଳ ଛାଡ଼ି ଆପ୍’ରେ ଯୋଗ ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ ୨୦୨୫ ମସିହା ଫେବୃଆରୀ ୨୩ରେ ସମାପ୍ତ ହେଉଛି। କାର୍ଯ୍ୟକାଳ ଶେଷ ହେବା ତାରିଖ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ। ତେବେ ଏହାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୬ ଜଣ ପୂର୍ବତନ କଂଗ୍ରେସ ଓ ବିଜେପି ନେତାଙ୍କ ନାମ ରହିଛି ଯେଉଁମାନେ ନିକଟରେ ଦଳ ଛାଡି ଆପରେ ଯୋଗ ଦେଇଥିଲେ। ବ୍ରହ୍ମ ସିଂହ ତନୱର, ବିବି ତ୍ୟାଗୀ ଏବଂ ଅନୀଲ ଝା ନିକଟରେ ବିଜେପି ଛାଡ଼ିଥିବା ବେଳେ ଜୁବେର ଚୌଧୁରୀ, ବୀର ସିଂ ଧୀଙ୍ଗନ ଏବଂ ସୁମେଶ ଶୋକିନ୍ କଂଗ୍ରେସ ଛାଡି ଆପରେ ଯୋଗ ଦେଇଥିଲେ।
ପ୍ରକାଶଥାଉ କି, ଶେଷ ଥର ପାଇଁ ୨୦୨୦ ଫେବୃଆରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏଥିରେ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ୭୦ଟି ଆସନରୁ ୬୨ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା।