ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରେ ଅଭାବନୀୟ ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ଓ ପଥରମାଡ଼ ଘଟଣାରେ ପୋଲିସ ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଜଣା ପଡିଛି। ଏହି ଆକ୍ରମଣ ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ପୋଲିସ ପକ୍ଷରୁ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ସିକ୍ରିଗଞ୍ଜର କାହ୍ନାଉଲି ଗ୍ରାମରେ ଗାଡି ଆଗ ପଛ ଘୁଞ୍ଚାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ପକ୍ଷର ଲୋକେ ଏକାଠି ହୋଇଥିବା ବେଳେ ବିବାଦ ବଢି ପଥରମାଡ଼ ଆରମ୍ଭ ହୋଇଥିଲା । ଏହା ଦେଖି ଗୋଟିଏ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିବା ବେଳେ ଜାଣିଶୁଣି ବିଳମ୍ବ କରିବା ଏବଂ ଅନ୍ୟ ପକ୍ଷ ସହ ମିଶିଥିବା ଅଭିଯୋଗ କରି ଦୁଘରା ଫାଣ୍ଡି ଅଧିକାରୀ ରାକେଶ କୁମାର ଓ କନେଷ୍ଟବଳ ବିନୀତ କୁମାରଙ୍କୁ ଗୋଟିଏ ପକ୍ଷ କୋଠରୀରେ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲେ। ସେଥିମଧ୍ୟରୁ ଜଣେ ନିଜ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ପଳାଇଯାଇ ଥାନାରେ ସୂଚନା ଦେଇଥିଲେ।ଏହାପରେ ଫୋର୍ସ ସହ ଆସିଥିବା ସିକ୍ରିଗଞ୍ଜ ଥାନା ଅଧିକାରୀ ଉକ୍ତ ଫାଣ୍ଡି ଅଧିକାରୀଙ୍କ ସମେତ ଆହତ କନେଷ୍ଟବଳଙ୍କୁ ଡାକ୍ତରଖାନା ନେଇଥିଲେ।
ଅପରପକ୍ଷରେ ପୋଲିସ ୧୫ ଜଣ ନାମିତ ଓ ୨୦ ଜଣ ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ଗୁରୁତର ଦଫାରେ ମାମଲା ରୁଜୁ କରିଛି। ଏହାସହିତ ଗାଁରେ ଫୋର୍ସ ମୁତୟନ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।