ନୂଆଦିଲ୍ଲୀ : ବିଶ୍ୱ ଚେସ୍ ଚମ୍ପିଆନ୍ସିପ୍ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଚମ୍ପିଆନ୍ସିପ୍ ରେ ଦୀର୍ଘ ୧୩୮ ବର୍ଷ ପରେ ଟାଇଟଲ ପାଇଁ ଦୁଇ ଏସୀୟ ପ୍ରତିଦ୍ୱନ୍ଦୀଙ୍କୁ ମୁହାଁମୁହିଁ ଦେଖିବାକୁ ମିଳିବ। ଡିଫେଣ୍ଡିଂ ଚମ୍ପିଆନ୍ ଡିଙ୍ଗ୍ ଲିରେନଙ୍କୁ କଡା ଟକ୍କର ଦେବେ ଭାରତର ଡି. ଗୁକେଶ ।
ସୂଚନାଯୋଗ୍ୟ ଯେ, ସିଙ୍ଗାପୁରର ରିସୋର୍ଟ୍ସ ୱାର୍ଲ୍ଡ ସେଣ୍ଟୋସା ହଲ୍ରେ ଆରମ୍ଭ ହୋଇଥିବା ବିଶ୍ୱ ଚେସ୍ ଚମ୍ପିଆନସିପରେ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନର ଡିଙ୍ଗ୍ ଲିରେନ ଓ ଭାରତର ଡି.ଗୁକେଶ ବିଶ୍ୱଙ୍କ ମଧ୍ୟରେ ଟାଇଟଲ୍ ଫାଇଟ୍ ଦେଖିବାକୁ ମିଳିବ। କ୍ଲାସିକାଲ୍ ଫର୍ମାଟରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହା ୧୯ ଦିନ ଧରି ଚାଲିବ । ଏଥିରେ ସମୁଦାୟ ୧୪ଟି ରାଉଣ୍ଡ ରହିଛି । ଡିସେମ୍ବର ୧୨ରେ ଅନ୍ତିମ ରାଉଣ୍ଡ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଯଦି ଅନ୍ତିମ ରାଉଣ୍ଡରେ ଟ୍ରାଏ ବ୍ରେକ୍ ରୁହେ, ତେବେ ୧୩ ତାରିଖରେ ଆଉ ଏକ ରାଉଣ୍ଡ ଖେଳାଯିବ। ଉଭୟ ପକ୍ଷର ଖେଳାଳିଙ୍କୁ ପ୍ରତି ରାଉଣ୍ଡରେ ୧୨୦ ମିନିଟ୍ ଲେଖାଏଁ ସମୟ ଦିଆଯିବ । ସେମାନେ ପ୍ରଥମ ୪୦ଟି ଗୋଟି ଚାଳନା କରିବାକୁ ଥିବା ବେଳେ ଫଳାଫଳ ନବାହାରିଲେ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ।
ପ୍ରକାଶଥାଉକି, ଭାରତୀୟ ଚେସ୍ ଷ୍ଟାର ଗୁକେଶ ଏବେ ଭଲ ଫର୍ମରେ ଥିବା ବେଳେ କ୍ୟାଣ୍ଡିଡେଟ୍ସ ଚମ୍ପିଆନ୍ ହେବା ପରେ ବିଶ୍ୱ ଚମ୍ପିଆନ୍ସିପ୍ ମ୍ୟାଚ୍ ପାଇଁ କ୍ଲାଲିଫାଏ କରିଛନ୍ତି । ସେହିପରି ଫିଡେ ରାଙ୍କରେ ଗୁକେଶ ୨୭୮୩ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଡିଫେଣ୍ଟିଂ ଚମ୍ପିଆନ୍ ଲିରେନ୍ ୨୭୨୮ ପଏଣ୍ଟ ରଖି ୨୩ ତମ ସ୍ଥାନରେ ଅଛନ୍ତି । ଗତ ବର୍ଷ ଲିରେନ୍ ରୁଷିଆର ଇଆନ୍ ନେପୋମନିଆଚିଙ୍କୁ ପରାସ୍ତ କରି ବିଶ୍ୱ ଚମ୍ପିଆନ ହୋଇଥିବା ବେଳେ ଚଳିତ ସିଜିନରେ ତାଙ୍କ ଫର୍ମ ସେତେଟା ଭଲ ନାହିଁ । ତେଣୁ ଗୁକେଶଙ୍କ ପାଖରେ ବିଶ୍ୱ ଚମ୍ପିଆନ୍ ହେବାର ଅଧିକ ସମ୍ଭାବନା ରହିଛି । ଏହି ବିଶ୍ୱ ଚେସ୍ ଚମ୍ପିଆନ୍ସିପରେ ବିଜୟୀଙ୍କୁ ଭାରତୀୟ ମୁଦ୍ରା ହିସାବରେ ୨୦. ୮ କୋଟିର ପୁରସ୍କାର ରାଶି ମିଳିବାକୁ ଥିବା ବେଳେ ପ୍ରତି ରାଉଣ୍ଡର ବିଜେତାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୧.୬୭ କୋଟି ଟଙ୍କା ମିଳିବ।