ହାଇଦ୍ରାବାଦ: ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଦ୍ୱାରା ଘୋଷିତ ୧୦୦ କୋଟି ଟଙ୍କାର ଦାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ତେଲଙ୍ଗାନା ସରକାର। ରାଜ୍ୟରେ ୟଙ୍ଗ ଇଣ୍ଡିଆ ସ୍କିଲ ୟୁନିଭର୍ସିଟି ପ୍ରତିଷ୍ଠା ପାଇଁ ଆଦାନୀ ଏହି ଦାନ ଘୋଷଣା କରିଥିବା ବେଳେ ସୋମବାର ଏହାକୁ ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ।
ଏକ ସାମ୍ବାଦିକ ସମ୍ମିଳନୀରେ ରେବନ୍ତ ରେଡ୍ଡୀ କହିଛନ୍ତି ଯେ, ଯଦି ଦାନ ଗ୍ରହଣ କରାଯାଏ ତେବେ ଏହା ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ହୋଇଥିବା ଧରାଯିବ । ଉଦ୍ୟୋଗପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ କାରବାରକୁ ନେଇ ଭାରତର ସର୍ବୋଚ୍ଚ ଅଦାଲତରେ ରୁଜ୍ଜୁ ହୋଇଥିବା ମାମଲା ପରେ ତେଲେଙ୍ଗାନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରେଡ୍ଡୀ କହିଛନ୍ତି ଯେ, ଅଦାନୀଙ୍କ ଦ୍ବାରା ପ୍ରସ୍ତାବିତ ରାଶି କମ୍ପାନୀର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକଳାପର ଏକ ଅଂଶ ଅଟେ, ତଥାପି କୌଣସି ବିବାଦ କିମ୍ବା ଅଭିଯୋଗ ଠାରୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାର ଏହି ଦାନ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଲଙ୍ଗାନା ସରକାର ଅଦାନୀ ସମେତ କୌଣସି ସଙ୍ଗଠନଠାରୁ ଗୋଟିଏ ଟଙ୍କା ମଧ୍ୟ ଗ୍ରହଣ କରି ନଥିବା କହିଛନ୍ତି ରେଡ୍ଡୀ । ସେ ଏବଂ ତାଙ୍କର କ୍ୟାବିନେଟ ସହକର୍ମୀ ଅନାବଶ୍ୟକ ଆଲୋଚନା ଏବଂ ବିବାଦୀୟ ପରିସ୍ଥିତିରେ ଜଡ଼ିତ ହେବାକୁ ତଥା ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ ନ କରିବା ପାଇଁ ଏହି ଦାନକୁ ଅଗ୍ରାହ୍ୟ କରାଯାଇଥିବା ରେଡ୍ଡୀ କହିଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଅଧିକାରୀ ଜୟେଶ ରଞ୍ଜନ ସ୍କିଲ୍ ୟୁନିଭର୍ସିଟିକୁ ୧୦୦ କୋଟି ଟଙ୍କାର ଦାନ ନ ପଠାଇବାକୁ ଆଦାନୀ ଫାଉଣ୍ଡେସନକୁ ଏକ ଚିଠି ଲେଖିଛନ୍ତି ।