କୋଲକାତା: ବାଂଲାଦେଶରେ ସହନଶୀଳତାର ସୀମା ଲଙ୍ଘିଲାଣି ହିନ୍ଦୁ ବିରୋଧୀ ହିଂସା ଘଟଣା। ମନ୍ଦିର ଉପରେ ହମଲା ପରେ ଏବେ ମୂର୍ତ୍ତି ଜାଳିବାକୁ ମଧ୍ୟ ପଛାଇନାହାନ୍ତି ସଂଖ୍ୟାଗରିଷ୍ଠ ଗୋଷ୍ଠୀ। ଦେଶରେ ଥିବା ଇସ୍କନର ମୁଖ୍ୟ ମନ୍ଦିର ସହିତ ସେଠାରେ ଥିବା ମୂର୍ତ୍ତିକୁ ମଧ୍ୟ ଦୂର୍ବୃତ୍ତମାନେ ଜାଳିଦେଇଥିବା ଅଭିଯୋଗ କରିଛନ୍ତି ଇସ୍କନର କୋଲକାତା ଉପାଧ୍ୟକ୍ଷ ରାଧାରମଣ ଦାସ। ଏ ନେଇ ସେ ଶନିବାର ସୋସିଆଲ ସାଇଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଢାକା ଜିଲ୍ଲାର ତୁରାଗ ଥାନା ଅନ୍ତର୍ଗତ ଧୋଉରା ଗ୍ରାମରେ ଥିବା ଇସ୍କନ ମୁଖ୍ୟ ମନ୍ଦିରକୁ ବାଂଲାଦେଶୀ ଦୁର୍ବୃତ୍ତମାନେ ରାତିଅଧିଆ ଜାଳି ଦେଇଛନ୍ତି। ସେଠାରେ ଥିବା ଲକ୍ଷ୍ମୀନାରାୟଣ ମୂର୍ତ୍ତି ସହିତ ଅନ୍ୟ ସାମଗ୍ରୀକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଆଁ ଲଗାଇ ଧ୍ବଂସ କରିଦେଇଛନ୍ତି। ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଦୁର୍ବୃତ୍ତମାନେ ଏଠାକାର ରାଧାକ୍ରିଷ୍ଣ ମନ୍ଦିର ଓ ମହାଭାଗ୍ୟ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ। ଏହି ମନ୍ଦିର ହରେକ୍ରିଷ୍ଣା ନାମହାତ୍ତା ସଙ୍ଘ ଅଧିନରେ ଥିଲା। ମନ୍ଦିର ପଛପଟେ ଥିବା ଟିଣ ଛାତକୁ ହଟାଇବା ପରେ ପେଟ୍ରୋଲ ଫିଙ୍ଗି ସେଠାରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେଠାରେ ଥିବା ସବୁ ଜିନିଷ ଜଳିଯାଇଥିବା ବେଳେ କେହି ହତାହତ ହେବା ନେଇ କୌଣସି ଖବର ହସ୍ତଗତ ହୋଇନାହିଁ।
ଦେଶରେ ହିନ୍ଦୁ ବିଶେଷକରି ଇସ୍କନ ଅନୁଗାମୀଙ୍କୁ କ୍ରମାଗତ ଟାର୍ଗେଟ ନେଇ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ବୋଲି ଦାସ ଅଭିଯୋଗ କରିଛନ୍ତି। ଏମିତିକି ପୋଲିସ ଓ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ସେ ଦର୍ଶାଇଛନ୍ତି।
ଗତ ଅଗଷ୍ଟରେ ଶେଖ୍ ହସିନା ସରକାର ଭାଙ୍ଗିବା ଏବଂ ମହମ୍ମଦ ୟୁନୁସ ସରକାର ଅନ୍ତରୀଣ ଦାୟିତ୍ବ ଗ୍ରହଣ କରିବା ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ଜାରି ରହିଛି। ବିଶେଷକରି ଇସ୍କନ ପ୍ରତିଷ୍ଠାନ ଉପରେ ହମଲା ହେଉଛି। ହିନ୍ଦୁଙ୍କ ଉପରେ ହିଂସା ପଛରେ ୟୁନୁସ ମାଷ୍ଟରମାଇଣ୍ଡ ବୋଲି ନିକଟରେ ହସିନା କହିଥିଲେ। ସେପଟେ ଭାରତ ଏହି ପ୍ରସଙ୍ଗକୁ ନେଇ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି। ବାଂଲାଦେଶୀ ସଂଖ୍ୟାଲଙ୍ଘୁଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କ ଜୀବନ ଓ ସ୍ବାଧୀନତାର ସୁରକ୍ଷାକୁ ପ୍ରାଥମିକତା ଦେବା ସେଠାକାର ସରକାରଙ୍କ ଦାୟିତ୍ବ ବୋଲି ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ବାଂଲାଦେଶରେ ଗତ ନଭେମ୍ବର ୨୫ରେ ହିନ୍ଦୁ ସାଧୁ ଚିନ୍ମୟ କ୍ରିଷ୍ଣ ଦାସଙ୍କୁ ଗିରଫ ପରଠାରୁ ଦେଶରେ ହିନ୍ଦୁଙ୍କ ଉପରେ ହମଲା ଜାରି ରହିଛି।