ପାଟନା: ବିହାରରେ ଶୁଭିଲାଣି ମହାରାଷ୍ଟ୍ର ରାଜନୈତିକ ସମୀକରଣର କମ୍ପନ। ସରକାର ଗଠନକୁ ନେଇ ମହାୟୁତିର ଫର୍ମୁଲା ଦେଖି ଏବେ ବିହାର ସିଏମ୍ଙ୍କ ଛାତି ଧଡ଼ଧଡ଼। ପଦ ସୁରକ୍ଷାକୁ ନେଇ ଭାଳେଣୀ କଲେଣି ନୀତୀଶ କୁମାର। ହାଇ ଆଲର୍ଟରେ ଏବେ ଜେଡିୟୁ। ଯଦିଓ ୨୦୨୫ ବିହାର ବିଧାନସଭା ନିର୍ବାଚନ ନୀତୀଶଙ୍କ ନେତୃତ୍ବରେ ଏନଡିଏ ଲଢିବ ବୋଲି ବିଜେପି ପୂର୍ବ ପ୍ରତିଶ୍ରୁତି ଦେଇସାରିଛି, ତଥାପି ନିର୍ବାଚନ ଜିତିବା ସ୍ଥଳେ ବିହାରରେ ମହାରାଷ୍ଟ୍ର ଫର୍ମୁଲା ପ୍ରୟୋଗର ଆଶଙ୍କା ମଧ୍ୟ ବଢିଯାଇଛି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଅଙ୍କର ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁ ଏହାଠାରୁ ୩୧ଟି କମ୍ ଅର୍ଥାତ ୪୩ଟି ଆସନ ପାଇଥିଲା। ଏହା ସତ୍ତ୍ବେ ବିଜେପି ନୀତୀଶଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେଇଥିଲା। ମାତ୍ର ବିହାରରେ ଆପଣାଇଥିବା ଏହି ଫର୍ମୁଲାକୁ ୪ ବର୍ଷ ପରେ ମହାରାଷ୍ଟ୍ରରେ ପ୍ରୟୋଗ କରିବା ନେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରସ୍ତାବକୁ ବିଜେପି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏବେ ମହାୟୁତିରେ ବିଜେପି ସବୁଠୁ ବଡ଼ ଦଳ ଭାବେ ମୁଖ୍ୟମନ୍ତ୍ରୀ ପଦରେ ନିଜ ନେତା ଦେବେନ୍ଦ୍ର ଫଡନବିସ୍ଙ୍କୁ ବସାଇଥିବା ବେଳେ ଶେଷ ମୁହୂର୍ତ୍ତରେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଆପଣାଇବାକୁ ବାଧ୍ୟ ହୋଇଥିଲେ। ଅନ୍ୟଥା ମହାୟୁତିରେ ସେ ସମ୍ପୂର୍ଣ୍ଣ କୋଣଠେସା ହୋଇଥାଆନ୍ତେ। ଏମିତିରେ ଏବେ ନୀତୀଶଙ୍କ ଭାଗ୍ୟ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ବିହାରରେ ବିଜେପିର ପ୍ରଦର୍ଶନ ଉତ୍ତମ ରହିଥିବା ବେଳେ ଏଥର ଯଦି ସମାନ ସ୍ଥିତି ରୁହେ ତେବେ ବିଜେପି କଣ ଦ୍ବିତୀୟ ଥର ଲାଗି ନୀତୀଶଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦର ବଳିଦାନ ଦେବ , ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ବନ୍ଧରେ ଜେଡିୟୁ ସୂତ୍ରରୁ କୁହାଯାଇଛି ଯେ ନୀତୀଶ କ୍ଷମତା ପାଇଁ ଲାଳାୟିତ ନୁହନ୍ତି। ବରଂ ୨୦୨୦ ଫଳାଫଳ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ପଦ ଜାରି ରଖିବାକୁ ମନା କରିଦେଇଥିଲେ। ମାତ୍ର ବିଜେପି ନେତା ରାଜନାଥ ସିଂହ, ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ତାଙ୍କୁ ପଦ ସ୍ବୀକାର କରିବାକୁ ବାଧ୍ୟ କରିଥିଲେ। ଜେଡିୟୁ ସୂତ୍ରରୁ କୁହାଯାଇଛି ଯେ ବିହାର ପ୍ରସଙ୍ଗ ମହାରାଷ୍ଟ୍ରଠାରୁ ଭିନ୍ନ । ଶିବସେନାର ଉଭୟ ଗୋଷ୍ଠୀ ହିନ୍ଦୁତ୍ବ ବିଚାରଧାରା ଅବଲମ୍ବନ କରୁଥିବା ବେଳେ ସିନ୍ଦେଙ୍କ ସାମାଜିକ ସ୍ଥିତି ସେତେଟା ମଜବୁତ ନଥିଲା। ଯାହାଦ୍ବାରା କି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ଭିନ୍ନ ତାଙ୍କ ନିକଟରେ ଦ୍ବିତୀୟ ଉପାୟ ନଥିଲା। ମାତ୍ର ବିହାରରେ ଜେଡିୟୁର ୧୬.୫% ସମର୍ଥନ ରହିଛି। ଯାହାକି ୨୦୨୪ ଲୋକସଭା ନିର୍ବାଚନରେ ପ୍ରମାଣିତ ହୋଇଛି। ଏହା ଦ୍ବାରା ଦଳ ୩୦ରୁ ୪୦ ଆସନ ଜିତି ଏନଡିଏକୁ ମଜବୁତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।