ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତି ପ୍ରତିଦିନ ନୂଆ କାହାଣୀ ଲେଖୁଛି। ଶନିବାର ବିଧାନସଭାରେ ଅନୁଷ୍ଠିତ ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହକୁ ବର୍ଜନ କରିଛି ବିପକ୍ଷ ମେଣ୍ଟ ମହା ବିକାଶ ଅଘାଡି ବା ଏମଭିଏ। ଇଭିଏମରେ ଜାଲିଆତି ଦ୍ବାରା ମହାୟୁତି କ୍ଷମତାକୁ ଆସିଥିବା ଅଭିଯୋଗ କରି ଏମଭିଏ ବିଧାୟକମାନେ ଶପଥ ଗ୍ରହଣ ସମାରୋହରୁ ଓ୍ବାକ ଆଉଟ୍ କରିଥିଲେ। ବିରୋଧୀ ଦଳର ନେତାଙ୍କ ହ୍ବିପ୍ ସତ୍ତ୍ବେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଆବୁ ଆସିମ ଆଜମୀ ଏବଂ ଦଳୀୟ ନେତା ରୈସ୍ ଶେଖ ଶବଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ।
ନବଗଠିତ ମହାରାଷ୍ଟ୍ର ବିଧାନସଭାରେ ତିନିଦିନିଆ ସ୍ବତନ୍ତ୍ର ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରେଟେମ୍ ସ୍ପିକର କାଳିଦାସ କୋଲାମ୍ବକରଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ଶପଥପାଠ ଉତ୍ସ ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାନସଭା ବାଚସ୍ପତି ନିର୍ବାଚନ, ନୂଆ ସରକାରଙ୍କ ବିଶ୍ବାସ ମତ ଏବଂ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ହେବାକୁ ଥିଲା। ମାତ୍ର ଏମଭିଏ ବିଧାୟକମାନେ ଶପଥପାଠ ଉତ୍ସବକୁ ବୟକଟ୍ କରି କକ୍ଷ ତ୍ୟାଗ କରିଥିଲେ। ପରେ ବିଧାନସଭା ପରିସରରେ ଥିବା ଛତ୍ରପତି ଶିବାଜୀ ମହାରାଜାଙ୍କ ମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ନିଜ ପକ୍ଷ ରଖିଥିଲେ। ଇଭିଏମ୍ରେ ଜାଲିଆତି ଦ୍ବାରା ମହାୟୁତି ସରକାରର ବିଜୟ ହୋଇଥିବା ଅଭିଯୋଗ କରିବା ସହ ଏହା ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ଦର୍ଶାଇଥିଲେ। ଏଥିସହ ବାଲଟ ପେପର ଦ୍ବାରା ନିର୍ବାଚନ କରାଇବାକୁ ସେମାନେ ଦାବି ଉପସ୍ଥାପନ କରିଥିଲେ। ମାତ୍ର ବିପକ୍ଷର ଏହି ଅଭିଯୋଗକୁ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାର ଅସ୍ବୀକାର କରିଛନ୍ତି। ଏଥିସହ ଇଭିଏମରେ ଜାଲିଆତି ଅଭିଯୋଗ ନେଇ ପ୍ରମାଣ ସହ ନିର୍ବାଚନ କମିଶନ କିମ୍ବା କୋର୍ଟଙ୍କ ନିକଟକୁ ଯିବାକୁ ସେ କହିଛନ୍ତି।