ଡାମାସକସ: ସିରିଆର ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ସିରିଆ ସେନା ଦୁର୍ବଳ ହୋଇପଡ଼ିଥିବା ବେଳେ ବିଦ୍ରୋହୀଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜା କରିଚାଲିଛନ୍ତି। ବର୍ତ୍ତମାନ ସେମାନେ ପ୍ରମୁଖ ସହର ଡାମାସକସ ଆଡ଼କୁ ମୁହାଁଇ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶଛାଡି ଏକ ସ୍ୱତନ୍ତ୍ର ବିମାନରେ କୌଣସି ଅଜ୍ଞାତସ୍ଥଳକୁ ପଳାୟନ କରିଥିବା ଜଣାପଡିଛି। ଅସଦଙ୍କ ଭାଇ ମାହେର ଅଲ ଅସନ ମଧ୍ୟ ପଳାୟନ କରିଛନ୍ତି। ତେବେ ଅସଦ ରୁଷ କିମ୍ବା ତେହରାନ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷରେ ବିଦ୍ରୋହୀମାନେ ଡାମାସକସରେ ପ୍ରବେଶ କରି ସରକାରୀ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି।
ଏହାରି ମଧ୍ୟରେ ସିରିଆ ପ୍ରଧାନମନ୍ତ୍ରୀ ମୋହମ୍ମଦ ଗାଜି ଜଲାଲୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ ଦେଶରେ ରହି ସୁଚାରୂ ରୂପେ ଶାସନ ହସ୍ତାନ୍ତର କରିବେ।
ପ୍ରକାଶଥାଉ କି, ଗତ ସପ୍ତାହରୁ ସିରିଆରେ ଗୃହଯୁଦ୍ଧ ଲାଗି ରହିଛି। ହାୟାତ-ତାହିର-ଅଲ-ଶାମ ନାମକ ବିଦ୍ରୋହୀ ସଂଗଠନ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇଛି। ଦଳର ମୁଖ୍ୟ ଅବୁ ମହମ୍ମଦ ଅଲ୍-ଜୋଲାନି ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ କ୍ଷମତାରୁ ହଟାଇ ନିଜର ନିୟନ୍ତ୍ରଣ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ସେମାନେ ଲଗାତାର ସିରିଆର ବିଭିନ୍ନ ଅଂଚଳରେ ଆକ୍ରମଣ କରି ସେହିସ୍ଥାନ ଗୁଡିକୁ ଅଧିକାର କରୁଛନ୍ତି। ସେମାନେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି। ଏଯାବତ ପ୍ରାୟ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।