ଡାମାସ୍କସ : ସିରିଆରେ ଦିନକୁ ଦିନ ତେଜୁଥିବା ଗୃହ ବିବାଦ ଯୋଗୁଁ ଶାସନର ପରିବର୍ତ୍ତନ ଆସିଛି । ହାୟାତ-ତେହରିର-ଅଲ-ସାମ୍-ସଂଗଠନର ବିଦ୍ରୋହିମାନେ ଦେଶର ରାଜଧାନୀ ଡାମାସ୍କସ ଏବଂ ରାଷ୍ଟ୍ରପତିଙ୍କ ଆବାସକୁ ଅକ୍ତିଆର କରିବା ପରେ ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡ଼ି ପଳାୟନ କରିଛନ୍ତି। ଦେଶ ଛାଡି ଫେରାର ହୋଇଥିବା ଅସଦ ସପରିବାର ରୁଷର ମସ୍କୋରେ ଶରଣ ନେଇଛନ୍ତି। ମାନବୀୟ ଆଧାରରେ ଅସଦଙ୍କୁ ଶରଣ ଦିଆଯାଇ ଥିବା ବେଳେ ଏହାକୁ ନେଇ ରୁଷ ରାଷ୍ଟ୍ରଦୂତ ମିଖାଇଲ ଉଲ୍ୟାନୋଭ କହିଛନ୍ତି ଯେ, ରୁଷ ପ୍ରତିକୂଳ ପରିସ୍ଥିତିରେ ନିଜ ବନ୍ଧୁମାନଙ୍କୁ ଧୋକା ଦିଏନାହିଁ। ଏହା ହିଁ ରୁଷ ଓ ଆମେରିକା ମଧ୍ୟରେ ଅନ୍ତର।
ଅପରପକ୍ଷରେ ଆମେରିକା ପକ୍ଷରୁ ସିରିଆରେ ଥିବା ଆଇଏସଆଇଏସ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ଆମେରିକାର ବାୟୁସେନା ୭୫ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛି । ସିରିଆରେ ଆଇଏସଆଇଏସ ରୋକିବା ପାଇଁ ଆମେରିକା ଆଗକୁ ଏଭଳି ଆକ୍ରମଣ ଜାରି ରଖିବ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରିଛି । ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ମିଳିଛି । ଏହି ବିଜୟକୁ ଲୋକଙ୍କ ବିଜୟ ବୋଲି କହିଛନ୍ତି ଆମେରିକା ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ।
ପ୍ରକାଶଥାଉ କି, ସିରିଆରେ ଦୀର୍ଘ ୧୪ ବର୍ଷ ଧରି ଗୃହ ଯୁଦ୍ଧ ଲାଗିରହିଥିବା ବେଳେ ଗତ ୧୧ ଦିନ ଧରି ବିଦ୍ରୋହୀ ହାୟାତ-ତେହରିର-ଅଲ-ସାମ୍-ସଂଗଠନ ଏବଂ ସେନା ମଧ୍ୟରେ ଯୁଦ୍ଧ ଚାଲିଥିଲା। ବିଦ୍ରୋହୀମାନେ ରବିବାର ରାଜଧାନୀ ଡାମାସ୍କସକୁ ନିଜ କବଜାକୁ ନେବା ସହିତ ରାଷ୍ଟ୍ରପତିଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିବାରୁ ରାଷ୍ଟ୍ରପତି ଅସଦ ନିଜ ଜୀବନ ବଞ୍ଚାଇ ଦେଶ ଛାଡ଼ି ସପରିବାର ପଳାୟନ କରିଥିଲେ।