ପ୍ୟାରିସ : ଫ୍ରାନ୍ସର ଭାରତ ମହାସାଗର ଅଞ୍ଚଳର ମାୟୋଟେ ଦ୍ୱୀପରେ ତାଣ୍ଡବ ରଚିଛି ବାତ୍ୟା ‘ଚିଡୋ’। ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିଥିଲା। ବାତ୍ୟା ‘ଚିଡୋ’ ପାଇଁ ମାୟୋଟେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ପେଟାଇଟ୍-ଟେରେ ଦ୍ୱୀପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଧିକାରୀମାନେ ଦ୍ୱୀପରେ ରେଡ୍ ଆଲର୍ଟ ଜାରି କରିଛନ୍ତି । ତେବେ ଆକଳନ ଅନୁଯାୟୀ ଏହି ବାତ୍ୟାରେ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଶନିବାରଦିନ ଲ୍ୟାଣ୍ଡଫଲ କରିଥିବା ଏହି ବାତ୍ୟା ‘ଚିଡୋ’ ୯୦ ବର୍ଷ ମଧ୍ୟରେ ମାୟୋଟେରେ ହୋଇଥିବା ସବୁଠାରୁ ଭୟଙ୍କର ବାତ୍ୟା। ବାତ୍ୟାକୁ ନେଇ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ସହାୟତା ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ସେଥିପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଫ୍ରାନ୍ସ ପକ୍ଷରୁ ୧୪୦ ନାଗରିକ ପ୍ରତିରକ୍ଷା ସୈନିକ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ମାୟୋଟେ ପଠାଯାଇଛି ।
ପ୍ରକାଶଥାଉ କି, ଦକ୍ଷିଣ-ପୂର୍ବ ଭାରତ ମହାସାଗରରେ ଅବସ୍ଥିତ ମାୟୋଟେ, ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନର ସବୁଠାରୁ ଗରିବ ଅଞ୍ଚଳ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବହୁତ ଅଧିକ ଥିବା ବେଳେ ଜନସଂଖ୍ୟାର ୭୫%ରୁ ଅଧିକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି।