ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଡୋନାଲଡ ଟ୍ରମ୍ପ ତାଙ୍କ କ୍ୟାବିନେଟ ନିମନ୍ତେ ଶ୍ରୀରାମ କ୍ରିଷ୍ଣନ୍ଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବରିଷ୍ଠ ନୀତି ପରାମର୍ଶଦାତା ଭାବରେ ମନୋନୀତ କରିଛନ୍ତି । କ୍ରିଷ୍ଣନ୍ ଏପର୍ଯ୍ୟନ୍ତ ଆଣ୍ଡ୍ରିସେନ୍ ହେରୋୱିଜ୍ରେ ଜଣେ ଜେନେରାଲ ପାର୍ଟନର ଭାବରେ କାର୍ଯ୍ୟ କରିଆସୁଥିଲେ । ଏକ ବିବୃତିରେ ଟ୍ରମ୍ପ କହିଛନ୍ତି, କ୍ରିଷ୍ଣନ୍ ଆମେରିକା ସରକାରଙ୍କର ବିଭିନ୍ନ ବିଭାଗରେ ଏଆଇକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବା ଏବଂ ସେଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସହାୟତା କରିବେ । ସେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ପରିଷଦ ସହିତ କାର୍ଯ୍ୟ କରିବେ । କ୍ରିଷ୍ଣନ୍ ମଧ୍ୟ ‘ଏକ୍ସ’ରେ ପ୍ରକାଶ କରି କହିଛନ୍ତି, ସେ ପେ ପଲ୍ର ପୂର୍ବତନ ସିଓଓ ଡେଭିଡ ସାକ୍ସଙ୍କ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରିବେ । ଡେଭିଡଙ୍କୁ ନିକଟରେ ଟ୍ରମ୍ପଙ୍କ କ୍ରିପଟୋ ଏବଂ ଏଆଇ ଜାର୍ ଭାବରେ ନାମିତ କରାଯାଇଛି । କ୍ରିଷ୍ଣନ୍ ପୂର୍ବରୁ ମାଇକ୍ରୋସଫ୍ଟ, ଟ୍ୱିଟର, ୟାହୁ!, ଫେସବୁକ ଏବଂ ସ୍ନାପ ଉତ୍ପାଦ ଟିମ୍ର ନେତୃତ୍ୱ ନେଇଛନ୍ତି । ସେ ଓ ତାଙ୍କ ପତ୍ନୀ ଆରତୀ ରାମମୂର୍ତ୍ତି ୨୦୨୧ରେ ‘ଆରତୀ ଆଣ୍ଡ ଶ୍ରୀରାମ ସୋ’ ଜରିଆରେ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । କ୍ରିଷ୍ଣନଙ୍କର ବିଲିୟୋନେୟର ଏଲନ ମସ୍କଙ୍କ ସହିତ ନିବିଡ ସମ୍ପର୍କ ରହିଛି ଏବଂ ସେ ଟ୍ୱିଟରକୁ ପୁନଃ ନିର୍ମାଣ କରିବାରେ ମସ୍କଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ ।