ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟାର ଦଳକୁ ନେଇ ସମ୍ପ୍ରତି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସରେ ହଇଚଇ ସୃଷ୍ଟିହୋଇଛି । କିଛିଦିନ ତଳେ ଆୟାର କହିଥିଲେ ଯେ ସେ ଗାନ୍ଧୀ ପରିବାର ପାଇଁ ଉପରକୁ ଉଠିଛନ୍ତି ଏବଂ ଏବେ ସେହି ପରିବାର ପାଇଁ ବସ୍ତୁତଃ ଏକଘରିଆ ହୋଇଛନ୍ତି । ଯାହାକୁ ନେଇ ମଧ୍ୟ ଦଳ ଉପରେ ଏପର୍ଯ୍ୟନ୍ତ ଗାନ୍ଧୀ ପରିବାରର ପ୍ରଭାବ ସମ୍ପର୍କରେ ପ୍ରଶ୍ନ ଉଠିଥିଲା । ସମ୍ପ୍ରତି ଶ୍ରୀ ଆୟାର କହିଛନ୍ତି, ଇଣ୍ଡି ମେଣ୍ଟର ନେତୃତ୍ୱ ନନେବାକୁ କଂଗ୍ରେସ ପ୍ରସ୍ତୁତ ରହିବା ଉଚିତ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କୌଣସି ଦଳ ଇଣ୍ଡି ମେଣ୍ଟକୁ ନେତୃତ୍ୱ ଦେଇପାରିବ ବୋଲି ପ୍ରଶ୍ନର ଉତ୍ତରରେ ମଣିଶଙ୍କର କହିଛନ୍ତି, ଏହା ଏକ ଯୁକ୍ତିଯୁକ୍ତ ପ୍ରଶ୍ନ ବୋଲି ସେ ମନେକରୁନାହାନ୍ତି । ତେବେ ଏହି ମେଣ୍ଟର ନେତୃତ୍ୱ ନନେବାକୁ କଂଗ୍ରେସ ପ୍ରସ୍ତୁତ ରହିବା ଉଚିତ । ଯଦି ନେତୃତ୍ୱ ନେବାକୁ ଚାହୁଁଛନ୍ତି ତାଙ୍କୁ ହେବାକୁ ଦିଆଯାଉ । ମମତା ବାନାର୍ଜୀଙ୍କ ନିକଟରେ ପାରଦର୍ଶିତା ରହିଛି । ମେଣ୍ଟର ଅନ୍ୟମାନଙ୍କ ନିକଟରେ ମଧ୍ୟ ଦକ୍ଷତା ରହିଛି । ତେଣୁ ଯିଏ ନେତୃତ୍ୱ ନେଲେ କିଛି ଯାଏଆସେ ନାହିଁ, କାରଣ ସେ ମନେକରୁଛନ୍ତି ଯେ କଂଗ୍ରେସ ଦଳ ଓ କଂଗ୍ରେସ ନେତାଙ୍କର ସ୍ଥିତି ସର୍ବଦା ପ୍ରମୁଖ ହୋଇ ରହିବ । ଏହା ଇଣ୍ଡି ମେଣ୍ଟରେ ପ୍ରମୁଖ ଦଳ ହୋଇ ରହିବ । ସେ ନିଶ୍ଚିତ ଯେ ରାହୁଲ ଗାନ୍ଧୀ ଏହି ମେଣ୍ଟର ଅଧ୍ୟକ୍ଷ ହେଲେ ଯେତିକି ସମ୍ମାନ ପାଇଥାନ୍ତେ, ତାହା ନହେଲେ ତାହାଠାରୁ ଅଧିକ ସମ୍ମାନ ପାଇବେ ।
ସୂଚନାଯୋଗ୍ୟ ଯେ ଏହି ୮୩ ବର୍ଷ ବୟସ୍କ ରାଜନେତାଙ୍କର ଆତ୍ମଜୀବନୀ ‘ଏ ମାଭରିକ ଇନ୍ ପଲିଟିକ୍ସ’ର ଦ୍ୱିତୀୟ ଭାଗ ସମ୍ପ୍ରତି ପ୍ରକାଶ ପାଇଛି । ଇଣ୍ଡି ମେଣ୍ଟର ନେତୃତ୍ୱକୁ ନେଇ ବାଦ ବିବାଦ ଚାଲିଥିବାବେଳେ ମଣିଶଙ୍କରଙ୍କର ଏଭଳି ମନ୍ତବ୍ୟ ଦଳରେ ସମସ୍ତଙ୍କୁ ଚକିତ କରିଛି । ବିଜେପିକୁ ରାଷ୍ଟ୍ରୀୟ ସ୍ତରରେ ମୁକାବିଲା କରିବାକୁ ଗତବର୍ଷ ବିରୋଧୀ ଦଳମାନଙ୍କୁ ନେଇ ଏହି ମେଣ୍ଟ ଗଠନ କରାଯାଇଥିଲା । ଗତ ଲୋକସଭା ନିର୍ବାଚନରେ ମଧ୍ୟ ମେଣ୍ଟକୁ ସଫଳତା ମିଳିଥିଲା ଏବଂ ବିଜେପି ଏକାକୀ ସଂଖ୍ୟାଗରିଷ୍ଠ ତଳେ ସୀମିତ ରହିଥିଲା । ତେବେ ଆଞ୍ଚଳିକ ସ୍ତରରେ ବିଭାଜିତ ହୋଇ ରହିଛି ଏବଂ ସେଠାରେ ନିର୍ବାଚନ ସମୟରେ ଇଣ୍ଡି ମେଣ୍ଟର ଅଂଶୀଦାର ଦଳ ପରସ୍ପର ବିରୋଧରେ ଲଢୁଛନ୍ତି । ଏହାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିବା ସହିତ ଇଣ୍ଡି ମେଣ୍ଟ ସୁବିଧାବାଦ ରାଜନୀତି କରୁଥିବା କହୁଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ନିଜର ସାଂସଦ ସଂଖ୍ୟା ଦୁଇଗୁଣ କରିବାରେ ସଫଳ ହୋଇଥିଲା । କିନ୍ତୁ ତାହା ପରଠାରୁ ହରିୟାଣା ଓ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳକୁ ଧକ୍କା ଲାଗିଛି । ମହାରାଷ୍ଟ୍ର ନିର୍ବାଚନ ପରେ ପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ତୀକ୍ଷ୍ଣ ଆକ୍ଷେପ କରିଥିଲେ । ମମତା କହିଥିଲେ, ଇଣ୍ଡି ମେଣ୍ଟ ବିଜେପି ବିରୋଧରେ ଲଢେଇ କରୁଥିବାବେଳେ କଂଗ୍ରେସ ମେଣ୍ଟର ସମସ୍ତ ଦଳଙ୍କୁ ନେଇ ଚାଲିବାର ଆବଶ୍ୟକତା ରହିଛି । ଏପରିକି ମମତା କହିଥିଲେ ଯେ ତାଙ୍କୁ ମେଣ୍ଟର ନେତୃତ୍ୱ ଦାୟିତ୍ୱ ଦିଆଗଲେ ସେ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ଷୀୟାନ ନେତା ଲାଲୁ ପ୍ରସାଦ ଯାଦବ ଏବଂ ଶରଦ ପୱାର ମଧ୍ୟ ମମତାଙ୍କ ସପକ୍ଷରେ ସେମାନଙ୍କର ମତ ରଖିଛନ୍ତି । ଲାଲୁ ଏହା ମଧ୍ୟ କହିଥିଲେ ଯେ, କଂଗ୍ରେସର ଆପତ୍ତି ଅର୍ଥ କିଛିନୁହେଁ । ଆମେ ମମତାଙ୍କୁ ସମର୍ଥନ କରିବୁ । ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଉ । ଏନସିପି ପ୍ରତିଷ୍ଠାତା ଶରଦ ପୱାର କହିଥିଲେ, ମମତା ରାଷ୍ଟ୍ରର ଜଣେ ପ୍ରମୁଖ ନେତ୍ରୀ । ତାଙ୍କର ସେହି ସାମର୍ଥ୍ୟ ରହିଛି । ସେ ଯେଉଁ ନିର୍ବାଚିତ ସାଂସଦଙ୍କୁ ପଠାଉଛନ୍ତି ସେମାନେ ଦାୟିତ୍ୱସମ୍ପନ୍ନ, କର୍ତ୍ତବ୍ୟପରାୟଣ ଏବଂ ଲୋକଙ୍କ ସମସ୍ୟା ସମ୍ପର୍କରେ ଭଲ ଭାବରେ ଜାଣିଛନ୍ତି । ତେଣୁ ମମତାଙ୍କର ସେଭଳି କହିବାର ଅଧିକାର ରହିଛି ।