ମସ୍କୋ,୨୩ା୧୨; ସିରିୟାର ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍-ଆସାଦଙ୍କ ପତ୍ନୀ ଆସମା ଅଲ୍-ଆସାଦ ମସ୍କୋରେ ନିଜ ଜୀବନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଆସାଦଙ୍କୁ ଛାଡପତ୍ର ଦେବାକୁ ସେ ଆବେଦନ କରିଥିବା ଜଣାଯାଇଛି । ସିରିୟାରୁ ପଳାୟନ କରିବା ପରେ ଆସାଦଙ୍କ ପରିବାର ସମ୍ପ୍ରତି ମସ୍କୋରେ ରାଜନୈତିକ ଶରଣ ନେଇଛନ୍ତି । ତେବେ ଆସମା ନିଜ ସହର ଲଣ୍ଡନ ଚାଲିଯିବାକୁ ଚାହୁଁଛନ୍ତି । ସେ ବ୍ରିଟିଶ-ସିରିୟା ନାଗରିକ । ଲଣ୍ଡନରେ ତାଙ୍କର ଜନ୍ମ ଓ ଲାଳନ ପାଳନ ହୋଇଥିବାବେଳେ ତାଙ୍କ ବାପା ମା’ ହେଉଛନ୍ତି ସିରିୟା ନାଗରିକ । ତାଙ୍କୁ ୨୫ ବର୍ଷ ବୟସ ହୋଇଥିବାବେଳେ ୨୦୦୦ରେ ସେ ସିରିୟାକୁ ଆସି ବଶର ଅଲ୍-ଆସାଦଙ୍କୁ ସେହିବର୍ଷ ବିବାହ କରିଥିଲେ । ମସ୍କୋରେ ନିଜ ଜୀବନକୁ ନେଇ ଖୁସି ନଥିବା ଆସମା ସ୍ଥାନୀୟ ଏକ ଅଦାଲତରେ ବିବାହ ବିଚ୍ଛେଦ ଆବେଦନ ଦାଖଲ କରିବା ସହିତ ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତି ଲୋଡିଛନ୍ତି । ରୁଷ ବିଚାର ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କ ଆବେଦନ ସମ୍ପର୍କରେ ଯାଞ୍ଚ କରୁଥିବା ଏକ ସୂତ୍ରରୁ ଜଣାଯାଇଛି । ଆସାଦଙ୍କୁ ରୁଷ ଶରଣ ଦେଇଥିଲେ ମଧ୍ୟ ତାଙ୍କ ଉପରେ କଡା କଟକଣା ଲଗାଯାଇଥିବା କୁହାଯାଉଛି । ତାଙ୍କୁ ମସ୍କୋ ଛାଡି ଅନ୍ୟତ୍ର ଯିବା କିମ୍ବା କୌଣସି ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ରହିବାକୁ ଅନୁମତି ଦିଆଯାଇନାହିଁ । ରୁଷ କର୍ତ୍ତୃପକ୍ଷ ମଧ୍ୟ ତାଙ୍କର ଟଙ୍କା ଓ ସମ୍ପତ୍ତି ଜବତ କରିସାରିଛନ୍ତି । ସେଥିମଧ୍ୟରେ ୨୭୦ କିଲୋଗ୍ରାମ ସୁନା, ୨ ବିଲିଅନ ଡଲାର ଏବଂ ମସ୍କୋରେ ଥିବା ୧୮ଟି କୋଠା ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ ବଶରଙ୍କ ମା” ମାହେର ଅଲ୍-ଆସାଦଙ୍କୁ ମସ୍କୋ ଶରଣ ଦେଇନାହିଁ । ଆସାଦ ମସ୍କୋରେ ଗୃହବନ୍ଦୀ ଅବସ୍ଥାରେ ରହୁଛନ୍ତି ।