ଲଣ୍ଡନ,୨୩ା୧୨: ବ୍ରିଟେନରେ ସମ୍ପ୍ରତି ୮୫ଟି ସାରିଆ ଅଦାଲତ କାର୍ଯ୍ୟ କରୁଛି । ଏହା ମୁସଲମାନଙ୍କର ବିବାହ ଓ ବିଚ୍ଛେଦ ସମ୍ପର୍କିତ ପାରିବାରିକ ବିବାଦଗୁଡିକ ସମ୍ପର୍କରେ ବିଚାର କରୁଛି । ଏପରିକି ଉତ୍ତର ଆମେରିକା ଏବଂ ୟୁରୋପରୁ ମୁସଲମାନ ସମୁଦାୟର ଲୋକ ଏହି ଇସଲାମିକ କାଉନସିଲରେ ଆବେଦନ କରିବାକୁ ଆସୁଛନ୍ତି । ଏହାକୁ ନେଇ ବ୍ରିଟେନ ସାରିଆ ଅଦାଲତଗୁଡିକର ‘ପାଶ୍ଚାତ୍ୟ ରାଜଧାନୀ’ ପାଲଟୁଛି, ଯାହାକୁ ନେଇ ବିଭିନ୍ନ ସଂଗଠନ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଜଣାଯାଇଛି ଯେ ଏହି ଧର୍ମୀୟ ସଂସ୍ଥାଗୁଡିକର ବ୍ୟାପକ ପ୍ରଭାବ ରହିଛି । ବ୍ରିଟେନରେ ଏଭଳି ଏକ ସମାନ୍ତରାଳ ଆଇନ ବ୍ୟବସ୍ଥାକୁ ନେଇ ନ୍ୟାସନାଲ ସିକ୍ୟୁଲାର ସୋସାଇଟି ଗଭୀର ଉଦବେଗ ପ୍ରକାଶ କରିଛି । ଜଣାଯାଇଛି ଯେ ବ୍ରିଟେନରେ ପ୍ରଥମ ସାରିଆ କାଉନସିଲ ୧୯୮୨ରେ ସ୍ଥାପିତ ହୋଇଥିଲା । ଜଣାଯାଇଛି ଯେ ଇସଲାମିକ ସାରିଆ କାଉନସିଲ ଅଫ ଗ୍ରେଟ ବ୍ରିଟେନ ଆଣ୍ଡ ନର୍ଦର୍ଣ୍ଣ ଆୟର୍ଲାଣ୍ଡ ଲିଟନ୍, ଇଷ୍ଟ ଲଣ୍ଡନରେ ପ୍ରତିଷ୍ଠିତ ହୋଇଛି ଏବଂ ଏହା ଏକ ପଞ୍ଜିକୃତ ଦାତବ୍ୟ ସଂସ୍ଥା । ଏହା ନିକାହ (ବିବାହ) ସେବା, ତଲାକ (ସ୍ୱାମୀଙ୍କ ପକ୍ଷରୁ), ଖୁଲା (ପତ୍ନୀଙ୍କ ପକ୍ଷରୁ ଛାଡପତ୍ର) ସେବା ଯୋଗାଇ ଦେଉଛି । ଅନ୍ୟପକ୍ଷରେ ବ୍ରିଟେନରେ ପ୍ରାୟ ୧ ଲକ୍ଷ ଇସଲାମିକ ବିବାହ ଆନୁଷ୍ଠାନିକ ଭାବରେ ପଞ୍ଜିକୃତ ହୋଇନଥିବା ଜଣାଯାଇଛି ।