ସରକାର ଭୁଲିଗଲେ କି ପୂର୍ବ ପ୍ରତିଶୃତି ? କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ କହିଥିଲେ ରାଜ୍ୟରେ ପଡି ରହିଥିବା ଖାଲି ପଦବୀ ପୂରଣ କରିବେ। ଯୁବପିଢ଼ି ପାଇବେ ନିଯୁକ୍ତି। ହେଲେ ଏଠି ତ ଦୃଶ୍ୟ କିଛି ଅଲଗା! କ୍ଷମତାକୁ ଆସିବା ପାଇଁ ଯେଉଁ ଯୁବଗୋଷ୍ଠୀଙ୍କ ବିପୁଳ ସମର୍ଥନ ଲୋଡ଼ିଥିଲେ ଆଜି ତାଙ୍କୁ ଭୁଲି ଯାଇ ଅବସରପ୍ରାପ୍ତଙ୍କ ପାଇଁ ଗଳାବାଟ ଖୋଲିଦେଲେ। ଏଠାରେ କହିବା ବାହୁଲ୍ୟ ଯେ, ରାଜ୍ୟରେ ୪୦ରୁ ଉର୍ଧ୍ଵ ବିଭାଗରେ ବିଭିନ୍ନ ପଦବୀ ଖାଲି ପଡିଥିବା ବେଳେ ପ୍ରାୟ ୧୨ ଲକ୍ଷ ଯୁବବର୍ଗ ଶିକ୍ଷିତ ବେକାରୀ ଅଛନ୍ତି। ହେଲେ ପୂର୍ବ ଅଭିଜ୍ଞତା ଆଳରେ ଅବସରପ୍ରାପ୍ତ (ବୁଢ଼ାବୁଢ଼ୀ)ଙ୍କୁ ପୁନଃନିଯୁକ୍ତି ଦେବାପାଇଁ ନୂତନ ନିୟମାବଳି ଲାଗୁ କରିଦେଲେ।
ଖାଲି ସେତିକି କାହିଁକି.. ପୂର୍ବ ପ୍ରଚଳିତ ନିୟମାବଳୀ ଅନୁସାରେ କୌଣସି ବିଭାଗରେ ନିଯୁକ୍ତି ପାଇଁ ଅର୍ଥ ବିଭାଗ ସହ ବିଚାର ବିମର୍ଷ କରାଯାଇ ନିଷ୍ପତ୍ତି ନିଆଯାଉଥିଲା। ଅର୍ଥ ବିଭାଗର ୨୦୧୩, ୨୦୧୪, ୨୦୧୬, ୨୦୨୦ ନିର୍ଦ୍ଦେଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଉଥିଲା।ହେଲେ ଏବେ ସେ ଦାୟିତ୍ୱ ବି ପ୍ରଶାସନ ବିଭାଗ ପାଖକୁ ଚାଲିଗଲା। ଏଠାରେ ଅର୍ଥ ବିଭାଗର କ୍ଷମତାକୁ ସଂକୁଚିତ କରାଯିବା ପାଇଁ ଏହି ନିୟମ ଆରମ୍ଭ ହେଲା ନା ପ୍ରଶାସନ ବିଭାଗର କ୍ଷମତା ପ୍ରସାରିତ କରାଯିବାକୁ ଏହି ନିୟମ ହେଲା ତାର କୌଣସି ସ୍ପଷ୍ଟିକରଣ ମିଳୁନାହିଁ। ତେବେ କଣ ଅର୍ଥ ବିଭାଗର ୨୦୧୩, ୨୦୧୬, ୨୦୨୦ ନିର୍ଦ୍ଦେଶ ସବୁ ପେଡିରେ ସାଇତା ହୋଇ ରହିଲା?
ସୂଚନାଯୋଗ୍ୟ ଯେ, ମୋହନ ସରକାରଙ୍କ ଅଧକ୍ଷତାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ତେବେ ଏହାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଏହି ନିଷ୍ପତ୍ତିକ୍ରମେ ୨୦୧୪ର ସାମୟିକ ପୁନଃନିଯୁକ୍ତି ବିଜ୍ଞପ୍ତିକୁ ଖାରଜ କରି ପ୍ରଥମେ ଖାଲି ପଦବୀ ଭର୍ତ୍ତି ପାଇଁ ପଦୋନ୍ନତି ଉପରେ ଗୁରୁତ୍ୱ ଦେବାକୁ ସ୍ଥିର ହୋଇଛି । ଅତି ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୬୫ ବର୍ଷ ପର୍ଯ୍ୟନ୍ତ ପୁନଃନିଯୁକ୍ତି ମିଳିବ ବୋଲି ସ୍ଥିର ହୋଇଛି। ତେବେ ଏହି ପୁନଃନିଯୁକ୍ତି ଏକ ନିୟମ ନୁହେଁ ବରଂ ଏକ ବ୍ୟତିକ୍ରମ ବୋଲି ଲୋକସେବା ଭବନରେ ଚର୍ଚ୍ଚାହେବା ଆରମ୍ଭ ହେଲାଣି।
କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ ସମସ୍ତ ବିଭାଗର ପୁନର୍ନିଯୁକ୍ତ ଅବସରପ୍ରାପ୍ତ ଅଫିସର ମାନଙ୍କ ତାଲିକା ମଗାଇଥିଲେ। ତେବେ ଏହି ପ୍ରସଙ୍ଗ ଦ୍ଵନ୍ଦ ଭିତରେ ରହିଛି। ଅବସର ନେଇ ଘରେ ବସିଥିବା ଅଫିସର ମାନଙ୍କୁ ପୁନର୍ନିଯୁକ୍ତି ଦିଆଯିବ ନାଁ ଅବସର ପରେ ପୁନର୍ନିଯୁକ୍ତ ଅଫିସର ମାନଙ୍କୁ ନେଇ କଣ କରାଯିବ ସେଥିପାଇଁ ସେହି ତାଲିକା ମଗାଇଥିଲେ ବୋଲି ଚର୍ଚ୍ଚା ହେଲାଣି।