ଭୁବନେଶ୍ୱର (ବ୍ୟୁରୋ): ବୋମାମାଡ଼ କରି ବିଲ୍ଡରଙ୍କୁ ହତ୍ୟା ଯୋଜନା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ମାଷ୍ଟରମାଇଣ୍ଡ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଶନିବାର ପ୍ରେସମିଟରେ ସୂଚନା ଦେଇଛନ୍ତି । କମିଶନରଙ୍କ ସୂଚନା ଅନୁଯାୟୀ, ଗତ ୮ ତାରିଖ ସନ୍ଧ୍ୟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିର କେଶରୀ ଏନ୍କ୍ଲେଭ ଏବଂ ଗତ ମାସକ ତଳେ ଇମ୍ପୋଭ୍ୟାଲି ଥାନା ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଥିବା ଦୁଇଟି ଘଟଣାରେ ମାଷ୍ଟରମାଇଣ୍ଡ ଓ ସମ୍ପୃକ୍ତି ଥିବା ଅଭିଯୁକ୍ତମାନେ ଗୋଟାଏ ଗ୍ୟାଙ୍ଗର । ଏହି ବୋମାମାଡ଼ ଘଟଣାର ମାଷ୍ଟର ମାଇଣ୍ଡ ବସନ୍ତ ମହପାତ୍ରଙ୍କ ସମେତ ଅନ୍ୟ ଅଭିଯୁକ୍ତ ଅକ୍ଷୟ କୁମାର ରାଉତ (୨୬),ଅକ୍ଷୟ କୁମାର ନାୟକ (୨୬),ଦୀପକ ପ୍ରଧାନ (୨୭),ଦୀପକ ରାଉତ (୩୦),ପିନାକୀ ପ୍ରସାଦ ଜେନା (୨୨), ଚିକୁ ଛାଟୋଇ (୨୨) ଓ ଶଙ୍କର ମଲ୍ଲିକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଶଙ୍କର ବୋମାମାଡ଼ ପାଇଁ ଆବଶ୍ୟକ ହୋଇଥିବା ସମସ୍ତ ବୋମା ଅଭିଯୁକ୍ତମାନଙ୍କୁ ଯୋଗାଇଥିବା ବେଳେ ଏହି ଘଟଣା ଭିଆଇବା ପାଇଁ ମାଷ୍ଟରମାଇଣ୍ଡ ବସନ୍ତ ମହାପାତ୍ର ଶଙ୍କରକୁ ୧ ଲକ୍ଷ ଟଙ୍କା ଓ ଏକ ଦାମୀ ଗାଡ଼ି ଉପହାର ଭାବେ ଦେଇଥିଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କ ନାମରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ସେମାନେ ସମସ୍ତେ ଚନ୍ଦନପୁର ଅଞ୍ଚଳର । ଯେହେତୁ ମାଷ୍ଟରମାଇଣ୍ଡ ବସନ୍ତ ପୂର୍ବରୁ ଚନ୍ଦନପୁର ଗାଁର ସରପଞ୍ଚ ଥିଲେ ତେଣୁ ଅଭିଯୁକ୍ତମାନଙ୍କୁ ଏହି ସମସ୍ତ ଅପରାଧରେ ସମ୍ପୃକ୍ତି କରିବା ପାଇଁ ସେମାନଙ୍କୁ ଭୁବନେଶ୍ୱର ଡାକିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।
ତେବେ ବୋମାମାଡ଼ର କାରଣ ବେଶ ରୋଚକ ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ଅଭିଯୋଗକାରୀ ବିଶିକେଶନ ପ୍ରଧାନ ଜଣେ ବିଲ୍ଡର । ଅଭିଯୋଗକାରୀ ବିଭିନ୍ନ ସମୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ଜାଗା କିଣିବାକୁ ମାଷ୍ଟରମାଇଣ୍ଡ ବସନ୍ତଙ୍କୁ ଟଙ୍କା ଦେଇଥାନ୍ତି । ପରବର୍ତ୍ତୀ ସମୟରେ ବସନ୍ତ ଜମି କିଣିବା ପରେ ଏହାକୁ ପ୍ଲଟିଂ କରି ବିକ୍ରି କରିବା ସହ ଏଥିରୁ ଉପାର୍ଜିତ ଲାଭ ଅଂଶ ବିଶିକେଶନକୁ ଦେଇଥାନ୍ତି । ଗତ ୪ ମାସ ତଳେ ଅଭିଯୋଗକାରୀ ବିଶିକେଶନ ନୟାପଲ୍ଲୀ ଅଞ୍ଚଳରେ ଏକ ଜାଗା କିଣିବାକୁ ପୂର୍ବପରି ମାଷ୍ଟରମାଇଣ୍ଡ ବସନ୍ତଙ୍କୁ ୩ କୋଟି ଟଙ୍କା ଦେଇଥିଲେ । ବସନ୍ତ ଜାଗା କିଣିଥିଲେ ମଧ୍ୟ ଏହାକୁ ବିକ୍ରି କରିବା ସମୟରେ ଉକ୍ତ ଜମିରେ ବିବାଦ ଥିବାରୁ ଏହା ବିକ୍ରି ହୋଇପାରି ନ ଥିଲା । ଏନେଇ ବସନ୍ତ ଅଭିଯୋଗକାରୀ ବିଶିକେଶନଙ୍କୁ ଜଣାଇଥିଲେ ମଧ୍ୟ ଅଭିଯୋଗକାରୀ ଏଥିରେ ତାଙ୍କର କିଛି ଭୁଲ ନାହିଁ, ଯେହେତୁ ସେ ଟଙ୍କା ଦେଇଛନ୍ତି ତେଣୁ ଜମି ବିକ୍ରି ନ ହେଲେ ବି ତାଙ୍କ ମୂଳ ଧନର ପ୍ରତିମାସ ୧୦ ପ୍ରତିଶତ ସୁଧ ଅର୍ଥ ଦେବାକୁ ବସନ୍ତଙ୍କୁ କଡ଼ା ଚେତାବନୀ ଦେଇଥିଲେ । ପ୍ରତିମାସରେ ୧୦ ପ୍ରତିଶତ ସୁଧ ଦେବା ବସନ୍ତଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ିଥିଲା । ତେଣୁ ବସନ୍ତ ବାଧ୍ୟ ହୋଇ ବିଶିକେଶନଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଏଥିପାଇଁ ସେ ଚନ୍ଦନପୁର ଅଞ୍ଚଳର ଶଙ୍କରଙ୍କ ସହ ଯୋଗାଯୋଗ କରିବା ସହ ବିଶିକେଶନଙ୍କୁ ବୋମାମାଡ଼ କରି ହତ୍ୟା ଯୋଜନା କରିଥିଲା । ମାସକ ତଳେ ବିଶିକେଶନ ଓ ବସନ୍ତ ଭୁଆସୁଣି ଅଞ୍ଚଳକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ଭୁଲରେ ବୋମାକୁ ବସନ୍ତଙ୍କ ଗାଡ଼ି ଉପରକୁ ଫିଙ୍ଗି ଦେଇଥିଲେ । ଗତ ୮ ତାରିଖରେ ପୂର୍ବ ଯୋଜନା ମୁତାବକ ପୁର୍ନବାର ଅଭିଯୁକ୍ତମାନେ ବସନ୍ତ ବସିଥିବା କେଶରୀ ଏନକ୍ଲାଭର ପୋଟିକକୁ ବୋମା ଫିଙ୍ଗିଥିଲେ । ଯେଉଁଥିରେ ଅଳ୍ପକେ ବର୍ତ୍ତିଥିଲେ ବିଶିକେଶନ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ମାଷ୍ଟରମାଇଣ୍ଡ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।