ଭୁବନେଶ୍ୱର (ବ୍ୟୁରୋ): ବଡ଼ଗଡ଼ ଥାନା ଅଞ୍ଚଳରେ ଗୁରୁବାର ରାତିରେ ଖଣ୍ଡା ବୁଲାଇ ଆତଙ୍କ ରଚିଛି ଚିଣ୍ଟୁ । କିଛିଦିନ ଚୁପ ରହିବା ପରେ ପେଶାଦାର ଅପରାଧୀ ଚିଣ୍ଟୁ ଗୁରୁବାର ରାତିରେ ବିଜେବି ନଗର ସ୍ଥିତ କ୍ୟାରେମ ଫିଲ୍ଡ ନିକଟରେ ପହଞ୍ଚି ସେଠାରେ ପ୍ରଥମେ ପାଟିତୁଣ୍ଡ କରିଥିଲା । ପରେ ସାଙ୍ଗରେ ନେଇ ଆସିଥିବା ଏକ ଖଣ୍ଡାକୁ ବାହାର କରି ଫିଲ୍ଡରେ ଗଣେଷ ପୂଜା କରୁଥିବା ପିଲାମାନଙ୍କୁ ଦେଖାଇବା ସହ ସେମାନଙ୍କୁ ହତ୍ୟାର ଧମକ ଦେଇ ଖଣ୍ଡା ବୁଲାଇ ଆତଙ୍କ କରିଥିଲା । ଏପରିକି ଖଣ୍ଡାକୁ ଚିଣ୍ଟୁ ପାଖ କାନ୍ଥ ଓ ମାଟିରେ ଘଷି ବେଶ କିଛି ସମୟଧରି ପାଟିତୁଣ୍ଡ କରିଥିଲା । ଚିଣ୍ଟୁ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ତାହାର ଏପରି କାର୍ଯ୍ୟ ଦେଖି ଫିଲ୍ଡରେ ଥିବା ପୂଜା କମିଟି ସଦସ୍ୟମାନେ ଦୌଡ଼ି ପଳାଇଥିଲେ । ପରେ ପୋଲିସକୁ ଖବର ଦିଆଯିବାରୁ ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଞ୍ଚି ଚିଣ୍ଟୁକୁ ଗିରଫ କରି ଥାନାକୁ ନେଇଥିଲା ।ଶନିବାର ଗିରଫ ହୋଇଥିବା ଚିଣ୍ଟୁ ଜଣେ ପେଶାଦାର ଅପରାଧୀ । ତା’ ନାମରେ କେବଳ ବଡ଼ଗଡ଼ ଥାନାରେ ୮ରୁ ଊର୍ଦ୍ଧ୍ୱ ମାମଲା ରହିଛି । ଅଧିକାଂଶ ମାମଲାରେ ସେ ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦେବା ସହ ମରଣାନ୍ତକ ଆକ୍ରମଣ କରିଥିବାର ନଜିର ରହିଛି । ଚିଣ୍ଟୁ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ପୂଜା ପୂର୍ବରୁ ତାକୁ ଗିରଫ କରିବା ଅତି ଜରୁରୀ ହୋଇପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ ନିଜ ପ୍ରତିକ୍ରିୟାରେ ମତ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଚିଣ୍ଟୁ ନାମରେ ଏକାଧିକ ମାମଲା ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ଏନଏସଏ ଲାଗୁ କରାଯାଇଥିଲା । ଯେଉଁ କାରଣରୁ ସେ ଏକବର୍ଷରୁ ଉର୍ଦ୍ଧ୍ୱ ସମୟଧରି ବିଚାରଧୀନ କଏଦୀ ଭାବେ ଝାରପଡ଼ା ଜେଲରେ ବନ୍ଦୀ ହୋଇଥିଲେ ।