ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ସମସ୍ତ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଗୋଟିଏ ସମୟରେ ହେବା ନେଇ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । କେନ୍ଦ୍ରର ବିଜେପି ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦୀର୍ଘଦିନରୁ ଯୋଜନା କରିଆସୁଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ ଏ ସମ୍ପର୍କରେ ପ୍ରକାଶ କରିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ ବିଜେପି ସରକାର ଏହା କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ଅଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ମୋଦୀଙ୍କର ତୃତୀୟ ପାଳିରେ ଅର୍ଥାତ ଚଳିତ ଥର ଏହାକୁ ସରକାର କାର୍ଯ୍ୟକାରୀ କରିବେ । ପୂର୍ବରୁ ଏଥିପାଇଁ ଦେଶର ପ୍ରାକ୍ତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟି ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି । ଉକ୍ତ କମିଟି ଦେଶରେ ପ୍ରଥମ ପଦକ୍ଷେପ ଭାବରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକ ଏକ ସମୟରେ କରାଇବାକୁ ସୁପାରିସ କରିଛନ୍ତି । ତାହା ପରେ ସ୍ୱାୟତ ସଂସ୍ଥାଗୁଡିକର ନିର୍ବାଚନ ୧୦୦ ଦିନ ମଧ୍ୟରେ କରାଯିବ । ଏହି ପ୍ରସଙ୍ଗରେ ବିଧି ଆୟୋଗ ମଧ୍ୟ ତାଙ୍କ ସୁପାରିସ ଖୁବଶୀଘ୍ର ପ୍ରଦାନ କରିବା ଆଶା କରାଯାଉଛି । ୨୦୨୯ରୁ ଲୋକସଭା, ବିଧାନସଭା ଏବଂ ସ୍ୱାୟତ ସଂସ୍ଥାଗୁଡିକର ନିର୍ବାଚନଗୁଡିକ ଏକ ସମୟରେ କରାଗଲେ ଦେଶ ପାଇଁ ତାହା ସୁବିଧାଜନକ ହେବ । ବାରମ୍ବାର ନିର୍ବାଚନ କାରଣରୁ ତାହା ଦେଶ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ସରକାର ମନେ କରୁଛନ୍ତି । ତେବେ ବିରୋଧୀ ଦଳଗୁଡିକ ସରକାରଙ୍କର ଏଭଳି ପଦକ୍ଷେପକୁ ବିରୋଧ କରୁଛନ୍ତି ।