ମୁମ୍ବଇ: ଅଭିନେତ୍ରୀ ଆଦିତି ରାଓ ହାଇଦରି ଏବଂ ସିଦ୍ଧାର୍ଥ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ଦକ୍ଷିଣ ଭାରତର ପାରମ୍ପରିକ ରୀତି ନୀତି ଅନୁଯାୟୀ ଏକ ମନ୍ଦିରରେ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି । ସେମାନେ ବିବାହ ନିମନ୍ତେ ସମ୍ପୂର୍ଣ୍ଣ ସ୍ୱଦେଶୀ ପରିଧାନକୁ ପସନ୍ଦ କରିଥିଲେ । ବିବାହ ସମୟରେ ଉଭୟଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ବିବାହକାଳୀନ ଫଟୋକୁ ପୋଷ୍ଟ କରି ଆଦିତି ଲେଖିଛନ୍ତି “ତମେ ମୋ ସୂର୍ଯ୍ୟ, ମୋ ଚନ୍ଦ୍ର ଏବଂ ମୋର ସମସ୍ତ ତାରକା. . . . ।”
ଆଦିତି ଏକ ଆକର୍ଷଣୀୟ ଟିସୁ୍ୟ ଅର୍ଗାଂଜା ଲେହେଙ୍ଗା ପରିଧାନ କରିଥିଲେ ଯେଉଁଥିରେ ସୁନେଲି ଜରି କାମ କରାଯାଇଥିଲା । ତାହାକୁ ମ୍ୟାଚ କରି ସେ ସୁନେଲି ରଙ୍ଗର ବ୍ଲାଉସ ପିନ୍ଧିଥିଲେ, ଯେଉଁଥିରେ ହାତରେ ମନୋରମ ଏମ୍ବ୍ରୋଡୋରୀ ବର୍ଡର କାମ ଶୋଭା ପାଉଥିଲା । ତାହାସହିତ ତାଙ୍କ ଗଳାରେ ସୁନା ଅଳଙ୍କାର ଏବଂ ଗଜରା ଲମ୍ବିଥିଲା । ସିଦ୍ଧାର୍ଥ ହାଲୁକା ଏମ୍ବ୍ରୋଡୋରୀ ହୋଇଥିବା ସାଦାସିଧା କୁର୍ତା ସହିତ ପାରମ୍ପରିକ ଭେଷ୍ଟି ପରିଧାନ କରିଥିଲେ । ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ପ୍ରାତଃ ସମୟରେ ବିବାହ ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଆଦିତି ଓ ସିଦ୍ଧାର୍ଥ କିଛିବର୍ଷ ହେଲା ଡେଟିଂ କରୁଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ସେମାନେ ନିର୍ବନ୍ଧ ହୋଇଥିବା ଘୋଷଣା କରିଥିଲେ । ତେବେ ସୋମବାର ସେମାନେ ଚୁପଚାପ ବିବାହ କରି ସାମାଜିକ ଗଣମାଧ୍ୟମରେ ଫଟୋ ଛାଡି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଦୁହେଁ ପରସ୍ପରଙ୍କୁ ତେଲୁଗୁ ଚଳଚ୍ଚିତ୍ର ମହା ସମୁଦ୍ରମ୍ ସେଟରେ ୨୦୨୧ରେ ଭେଟିଥିଲେ ।