କିଛିଦିନ ପୂର୍ବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ରବିବାର ପୁଣିଥରେ ଗୁଳିମାଡ ଉଦ୍ୟମ କରାଯାଇଛି। ଫ୍ଲୋରିଡାରେ ସେ ଗଲ୍ଫ ଖେଳୁଥିବାବେଳେ ତାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଏଫବିଆଇ। ଆମେରିକାର ସୁରକ୍ଷା ଏଜେନ୍ସି ‘ସିକ୍ରେଟ ସର୍ଭିସ’ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ଜବତ କରିବା ପରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଫ୍ଲୋରିଡାର ୱେଷ୍ଟ ପାମ ବିଚରେ ଡୋନାଲ୍ଡ ଟ୍ରମ୍ପଙ୍କର ଏକ ଗଲ୍ଫ କୋର୍ସ ନିକଟରେ ଏପରି ଘଟଣା ଘଟିଛି। ଅଭିଯୁକ୍ତ ଜଣଙ୍କ ୫୮ ବର୍ଷିୟ ରିୟାନ ୱେସଲି ରାଉଥ ବୋଲି ଜଣାପଡିବା ପରେ ସିକ୍ରେଟ ସର୍ଭିସ ପକ୍ଷରୁ ଦିଆଯାଇଥିବା ପ୍ରାଥମିକ ତଥ୍ୟ ଅନୁସାରେ ଗିରଫ ଅଭିଯୁକ୍ତ ଜଣକ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଅଟେ ଏବଂ ସେ ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରନ୍ତି। ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହେଉଥିବା ରାଉଥ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ବିରୋଧରେ ବିବୃତ୍ତି ମଧ୍ୟ ଦେବାର ଦେଖା ଯାଇଛି। ରାଉଥ ହାୱାଇର ମୂଳବାସିନ୍ଦା ହୋଇଥିବା ବେଳେ ସେ କ୍ୟାମ୍ପ ବକ୍ସ ହନୋଲୁଲୁ ନାମକ ଏକ ଶେଡ ବିଲଡିଂ କମ୍ପାନୀର ମାଲିକ। ଡେମୋକ୍ରାଟ ଦଳର ଜଣେ ଦୃଢ ସମର୍ଥକ ରାଉଥ ୨୦୧୯ ପରଠାରୁ ନିର୍ବାଚନରେ ପ୍ରାୟ ୧୯ ଥର ୧୪୦ ଡଲାରୁ ଅଧିକ ଦାନ କରିଛନ୍ତି। ଏହା ଆମେରିକାର ଫେଡେରାଲ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ରାଉଥ ଉତ୍ତର କାରୋଲିନା କୃଷି ଏବଂ ବୈଷୟିକ ରାଜ୍ୟ ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ ଛାତ୍ର ହୋଇଥିବା ବେଳେ ସେ ନିର୍ବାଚନରେ ବିବେକ ରାମାସ୍ବାମୀ ଏବଂ ଭାରତୀୟ ମୂଳ ନିକ୍କି ହେଲିଙ୍କୁ ମଧ୍ୟ ସମର୍ଥନ କରୁଥିଲେ। ଆହୁରି ମଧ୍ୟ ଅଭିଯୁକ୍ତ ସ୍ବେଚ୍ଛାସେବୀ ଭାବରେ ୟୁକ୍ରେନ ପକ୍ଷରୁ ରୁଷିଆ ବିରୋଧରେ ଯୁଦ୍ଧରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରି ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ମାଧ୍ୟମରେ ସେ କହିଥିଲେ ଯେ ଯୁଦ୍ଧ କରିବାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ୟୁକ୍ରେନ ଯିବା ଉଚିତ୍। ସେ ୟୁକ୍ରେନ ଯୁଦ୍ଧରେ ମରିବାକୁ ମଧ୍ୟ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ।