ଆଫ୍ଗାନିସ୍ତାନ: ତାଲିବାନ ସରକାର ଆଫ୍ଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାଦାନ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ମିଳିଛି। ଏହାକୁ ବାତିଲ କରିବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ତାଲିବାନ ପକ୍ଷରୁ ଦର୍ଶାଯାଇନାହିଁ। ତେବେ ଗତ ଜୁନରେ ଜାତିସଂଘର କର୍ମକର୍ତ୍ତାମାନଙ୍କ ଦ୍ୱାରା ଆଫ୍ଗାନିସ୍ତାନରେ ଘରକୁ ଘର ବୁଲି ଶିଶୁଙ୍କୁ ପୋଲିଓ ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ପ୍ରତ୍ୟୁତ୍ତରରେ ଘର ଘର ବୁଲି ପୋଲିଓ ଟିକାଦାନ କରିବା ଅପେକ୍ଷା ମସଜିଦରେ ଏହି କାର୍ଯ୍ୟକ୍ରମ ଚଳାଇବାକୁ ତାଲିବାନ ସରକାର ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ଅଧିକାରୀ ଡା.ହମିଦ ଜାଫ୍ରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଆଫ୍ଗାନିସ୍ତାନରେ ୧୮ ଜଣ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଥିଲେ। ଏହାପରେ ଜାତିସଂଘ ପକ୍ଷରୁ ସେଠାରେ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କିନ୍ତୁ ତାଲିବାନ ସରକାର ଏହି କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ବାତିଲ କରିଥିବା ସୂଚନା ମିଳିଛି। ଏପରି କରିବା ଦ୍ବାରା ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। କ୍ରମାଗତ ଭାବେ ଆଫ୍ଗାନିସ୍ତାନ ଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ଟିକାଦାନ ଅଭିଯାନ ଆରମ୍ଭ କରାଯାଇଥିଲା। ହେଲେ ଆଫ୍ଗାନିସ୍ତାନ ଭଳି ପାକିସ୍ତାନ ସରକାର ମଧ୍ୟ ଏହି ଅଭିଯାନକୁ ଖୁବଶୀଘ୍ର ବନ୍ଦ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି।