ବେରୁଟ: ସାରା ବିଶ୍ୱରେ ଯୁଦ୍ଧ ଇତିହାସରେ ପ୍ରଥମ ଥର ପାଇଁ ବାର୍ତ୍ତା ପ୍ରେରଣ ପାଇଁ ବ୍ୟବହାର ହେଉଥିବା ପେଜର ଜରିଆରେ ବିସ୍ଫୋରଣ କରାଯାଇଛି । ଏଥିରେ ପ୍ରାୟ ୪ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ୧୬ ଜଣଙ୍କର ପ୍ରାଣହାନି ଘଟିଛି । ଲେବାନନରେ ଏଭଳି ଅଭିନବ ଉପାୟରେ ବିସ୍ଫୋରଣ କରାଯାଇଛି । ଏହାପଛରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି । ଯୁଦ୍ଧ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପେଜର ବୋମା ବିସ୍ଫୋରଣ ଘଟଣା ବିଶ୍ୱକୁ ଏକ ସାଂଘାତିକ ପରିସ୍ଥିତି ଆଡକୁ ନେଉଥିବା ଆଶଙ୍କା ଘନୀଭୂତ ହୋଇଛି । ଲେବାନନ ସହିତ ସିରିୟାରେ ମଧ୍ୟ ଅନୁରୂପ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।
ଇସ୍ରାଏଲ ପକ୍ଷରୁ ଇରାନ ସମର୍ଥିତ ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀ ଉପରେ ଆକ୍ରମଣ ହେବାପରେ ହେଜବୋଲ୍ଲା ତାହାର କ୍ୟାଡରଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରିଦେଇଥିଲା । କାରଣ ମୋବାଇଲ ଫୋନ ଜରିଆରେ ବ୍ୟବହାରକାରୀଙ୍କର ଅବସ୍ଥିତି ଟ୍ରାକିଂ କରିବା ସହଜ ହେଉଥିବାରୁ ହେଜବୋଲ୍ଲାର ଶୀର୍ଷ କମାଣ୍ଡର ଏଭଳି ନିଷ୍ପତ୍ତି ନେଇଥିଲେ । ତାହା ସ୍ଥାନରେ ପେଜର ଜରିଆରେ ସେମାନେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିପାଇଁ ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀ ପକ୍ଷରୁ ତାଇୱାନରୁ ୫ହଜାର ପେଜର ମଗାଯାଇଥିଲା । ଗୋଲ୍ଡ ଆପୋଲୋ କମ୍ପାନୀ ଏହି ପେଜର ପ୍ରାୟ ୫ ମାସ ତଳେ ଯୋଗାଇଥିଲା । ତେବେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ଏହି ପେଜରଗୁଡିକରେ ୩ରୁ ୫ ଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଅତି ଗୋପନରେ ଖଞ୍ଜିଥିବା କୁହାଯାଉଛି । ସେଗୁଡିକ ହେଜବୋଲ୍ଲା କ୍ୟାଡରଙ୍କୁ ଯୋଗାଇ ଦିଆଯାଇଥିଲା ଏବଂ ତାହାର ବ୍ୟବହାର ମଧ୍ୟ ଆରମ୍ଭ ହୋଇଥିଲା । ମୋସାଦ ସମସ୍ତ ବିଷୟ ଉପରେ ନଜର ରଖିଥିଲା । ଉକ୍ତ ବିସ୍ଫୋରକ ଏଭଳି ଭାବରେ ଖଞ୍ଜାଯାଇଥିଲା ଯେ ତାହାକୁ କୋ÷ଣସି ଯନ୍ତ୍ରରେ ଠାବ କରିବା ମଧ୍ୟ ସମ୍ଭବ ନଥିଲା । ଉକ୍ତ ବିସ୍ଫୋରକ ଡିଭାଇସ ସହିତ ଏକ କୋଡ ମଧ୍ୟ ସଂଯୁକ୍ତ ଥିଲା । ମଙ୍ଗଳବାର ମୋସାଦ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା । ଉକ୍ତ ପେଜରଗୁଡିକୁ ଏକ କୋଡ ପଠାଯାଇଥିଲା । ପେଜର ଖୋଲି କୋଡ ଅନ୍ କରିବା ମାତ୍ରେ ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା । ଏକ ସମୟରେ ହଜାର ସଂଖ୍ୟାରେ ପେଜର ଲେବାନନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିବା ପରେ ଆତଙ୍କ ଖେଳିଯାଇଥିଲା । ଲେବାନନ ସହିତ ସିରିୟାରେ ମଧ୍ୟ ବିସ୍ଫୋରଣ ଘଟିଥିବା ଜଣାଯାଇଛି । ଆହତମାନଙ୍କୁ ତୁରନ୍ତ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ଲେବାନନର ଜଣେ ସାଂସଦଙ୍କ ପୁଅର ମଧ୍ୟ ମୃତୁ୍ୟ ଘଟିଥିବା ଖବର ମିଳିଛି । ଲେବାନନରେ ପେଜର ବିସ୍ଫୋରଣ ଘଟିବା ପୂର୍ବରୁ ଆମେରିକା ନିକଟରେ ଏହି ସୂଚନା ରହିଥିବା କୁହାଯାଉଛି । ବିସ୍ଫୋରଣ ପରେ ହେଜବୋଲ୍ଲା ରକ୍ତମୁଖା ହୋଇଉଠିଛି । ଇସ୍ରାଏଲକୁ ଏହାର କଡା ଜବାବ ଦିଆଯିବ ବୋଲି ହେଜବୋଲ୍ଲା ପକ୍ଷରୁ କୁହାଯାଇଛି ।