ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ୟୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତାଙ୍କ କାର୍ଯ୍ୟକାଳ ଅବଧି ୨୦୨୬ ମସିହା ଜୁନ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ବର୍ଦ୍ଧିତ କରି ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କରାଯାଇଛି । ଏ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୬ରେ ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ଖୁରାନିଆ ନୂତନ ଡିଜିପି ଭାବେ ପୂର୍ବତ୍ତନ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପୋଲିସ୍ ଡିଜି ସର୍ବନିମ୍ନ ୨ ବର୍ଷ ଦାୟିତ୍ବରେ ରହିବାକୁ ଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ୨ ମାସ ବୃଦ୍ଧି କରାଇଛନ୍ତି।
ପ୍ରକାଶଥାଉ କି, ହରିୟାଣାର ଜନ୍ମିତ ୱାଇ.ବି. ଖୁରାନିଆ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ହୋଇଥିବା ବେଳେ ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା ଭଳି ୫ଟି ପୋଲିସ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏହା ସହିତ ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ଏବଂ ସମ୍ବଲପୁରର ଆଇଜି ଭାବେ କାର୍ଯ୍ୟ ତୁଲାଇବା ସହ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସର କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହାସହିତ ଆଇଜି ଅପରେସନ୍, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ୨୦୧୮ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସ୍ଏଫ୍ ସ୍ପେଶାଲ ଡିଜି ଦାୟିତ୍ବ ରେ ଥିଲେ। ତେବେ ଗତ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ସରକାର ଖୁରାନିଆଙ୍କୁ ମୂଳ କ୍ୟାଡର ଓଡିଶାକୁ ଫେରିବା ପରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଅନୁମୋଦନ ଅନୁସାରେ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ।